ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ମେ୨୮ରେ ପିରିୟଡସ୍ ବା ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ କରାଯାଉଛି।

ପିରିୟଡସ୍‌ ଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଏକ ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ସ୍ଵାସ୍ଥ୍ୟପ୍ଲସ୍ ନେଟଓ୍ଵର୍କ ଏବଂ ଆଇଏଫ୍‌ଆଇ ଫାଉଣ୍ଡେସନର ମିଳିତ ବିଶେଷ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥାହେବ’।

ଋତୁସ୍ରାବ ମହିଳାମାନଙ୍କର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେବି ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଛି। ଆଜିବି ଝିଅମାନେ ଏ ସମ୍ପର୍କରେ ଖୋଲାଖୋଲି କଥା ହେବାକୁ ସଙ୍କୋଚ ଅନୁଭବ କରିଥାନ୍ତି। ଏବେ ସମୟ ଆସିଛି ପିରିୟଡସକୁ ନେଇ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରିବା ସହ ଏ ବିଷୟରେ ଖୋଲାଖୋଲି କଥା ହେବା।

୨୦୧୩ରେ ଏକ ଏନଜିଓ ସଂସ୍ଥା ‘ଓ୍ୱାଶ’ ଏହି ଦିବସର ଆରମ୍ଭ କରିଥିଲା। ୨୦୧୪, ମେ’ ୨୮ରେ ଏହି ଦିବସ ପ୍ରଥମ ଥର ପାଳିତ ହୋଇଥିଲା।

ମେ’ ୨୮ ତାରିଖକୁ କାହିଁକି ବଛା ଯାଇଥିଲା?

ୠତୁସ୍ରାବ ସ୍ୱଚ୍ଛତା ଦିବସ ମେ’ ମାସର ୨୮ ତାରିଖକୁ ବଛା ଯାଇଥିଲା। କାରଣ ୨୮ ଦିନର ବ୍ୟବଧାନରେ ମହିଳାମାନଙ୍କର ମାସିକ ୠତୁସ୍ରାବ ହୋଇଥାଏ। ଏହି ଦିବସ ପାଳନ ହେବାର ଉଦ୍ଦେଶ୍ୟ ସଚେତନତା ସୃଷ୍ଟି କରିବା। ଯାହା ଦ୍ୱାରା ମହିଳାମାନେ ଏ ସମ୍ପର୍କରେ ଖୋଲି କଥା ହୋଇପାରିବେ।

କେଉଁ ଦିଗ ପ୍ରତି ଧ୍ୟାନ ଦେବେ?

ମାସିକ ୠତୁଚକ୍ର ସମୟରେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଯେପରିକି, କପଡ଼ାର ବ୍ୟବହାର ନକରି ସାନିଟାରି ପ୍ୟାଡର ବ୍ୟବହାର କରନ୍ତୁ। ସଫା ସୁତରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ପ୍ରତି ୪ରୁ ୫ ଘଣ୍ଟା ସମୟ ବ୍ୟବଧାନରେ ସାନିଟାରି ପ୍ୟାଡ୍ ବଦଳାନ୍ତୁ। ନଚେତ୍ ୟୁରିନ୍ ଇନ୍ଫେକ୍ସନ୍, ଗୁପ୍ତାଙ୍ଗରେ କୁଣ୍ଡିଆ ହେବା, ଜଳିବା ପୋଡ଼ିବା ଭଳି ସମସ୍ୟା ହୁଏ।

ସାନିଟାରି ପ୍ୟାଡ୍ ବଦଳାଇବା ପୂର୍ବରୁ ଗୁପ୍ତାଙ୍ଗକୁ ସଫା କରନ୍ତୁ। ପୁରୁଣା ପ୍ୟାଡରେ ପ୍ରବାହିତ ରକ୍ତ ଗୁପ୍ତାଙ୍ଗରେ ଲାଗି ରହିଲେ ସଂକ୍ରମଣ ହୁଏ।

 

ପିରିୟଡସ୍ ସମୟରେ ଅନ୍ତଃବସ୍ତ୍ର ପ୍ରତି ବି ଧ୍ୟାନ ଦେବାକୁ ପଡ଼ିଥାଏ। ମାସିକ ୠତୁଚକ୍ର ପାଖେଇବା ସମୟରେ ତଥା ସେହି ସମୟରେ ବାହାରକୁ ଗଲାବେଳେ ଗୋଟିଏ ସଫା ପାଉଚ୍ କିମ୍ବା ପେପର୍ ବ୍ୟାଗରେ ଏକ୍ସଟ୍ରା ସାନିଟାରି ପ୍ୟାଡ୍, ନରମ ଟାଓ୍ୱାଲ୍, ଟିସ୍ୟୁ ପେପର୍, ହ୍ୟାଣ୍ଡ୍ ସାନିଟାଇଜର୍, କିଛି ପୋଷକ ଖାଦ୍ୟ, ପାଣି ବୋତଲ ସବୁବେଳେ ପାଖରେ ରଖିବା ଆବଶ୍ୟକ। ଏହି ସମୟରେ ଉଷୁମ ପାଣି ପିଇଲେ ଭଲ। ଅତ୍ୟଧିକ ତେଲ ମସଲା ଖାଦ୍ୟ ଖାଆନ୍ତୁ ନାହିଁ।

ମାସିକ ୠତୁଚକ୍ର ସମୟରେ ଯଥାସମ୍ଭବ ବିଶ୍ରାମ କରନ୍ତୁ। ବେଶୀ ଚଲାବୁଲା କରିବା, ଦୌଡ଼ିବା, ସାଇକେଲ ଚଳାଇବା ମୁଖ୍ୟତଃ ନାଚିବା ବା ଡିଆଁକୁଦା କରିବା ଗୁପ୍ତାଙ୍ଗ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର କାରଣ ହୋଇପାରେ। ପରେ ଗର୍ଭଧାରଣ ସମୟରେ ଏହାର ବହୁତ ଖରାପ ପ୍ରଭାବ ପଡ଼େ।

Tags: #MHDAY2023 #WeAreCommitted #EndPeriodStigma #EndPeriodPoverty #PeriodEducationForAll #PeriodFriendlyToiletsForAll

Comment