ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

‘ମୋ ଘର’ ନାମକ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ‘ମୋ ଘର’ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ଘର ତିଆରି ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ। ଏହା ସହ ଦୁଇଟି ସିନେମା ‘ଡେଲିଭରି ବଏ’ ଏବଂ ‘ଜ୍ଵିଗାଟୋ’କୁ କର ମୁକ୍ତ କରାଯାଇଛି।

ସେହିପରି ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲା ପାଇଁ ୬ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୪୨୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା। ଜିଲ୍ଲାର ୪ଟି ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ହେବ। ଏହା ଦ୍ଵାରା ୨୨୨ଟି ଗାଁର ୧.୬୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

ସେହିପରି ଗଜପତି ଜିଲ୍ଲା ପାଇଁ ୨ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ୩୭୯.୧୭ କୋଟି ଟଙ୍କା ଖର୍ଚ୍ଚ ହେବ। ଗୁମ୍ମା ଓ ରାୟଗଡ଼ ବ୍ଲକରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଏହି ଦୁଇ ବ୍ଲକର ମୋଟ ୩୭ଟି ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ। ଏହା ଦ୍ଵାରା ୩୪୬ଟି ଗାଁର ୧ ଲକ୍ଷ ୩୧ ହଜାରରୁ ଅଧିକ ଲୋକ ଉପକୃତ ହେବେ।

ସ୍ଵାସ୍ଥ୍ୟସେବା ଉପରେ କ୍ୟାବିନେଟ ବୈଠକରେ ଗୁରୁତ୍ଵ ଦିଆଯାଇଛି। ରାଜ୍ୟରେ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ଓ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷା ଯୋଗାଇବା ନିମନ୍ତେ ‘ଓଡ଼ିଶା ସ୍ଵାସ୍ଥ୍ୟବିଜ୍ଞାନ ବିଶ୍ଵବିଦ୍ୟାଳୟ’ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ କ୍ୟାବିନେଟରେ ୩୩୦.୧୭ କୋଟି ଟଙ୍କାର ପ୍ରସ୍ତାବ ଆଗତ ହୋଇଛି। ଏହା ରାଜ୍ୟର ସରକାରୀ ଡାକ୍ତରଖନାଗୁଡ଼ିକରେ ଡାକ୍ତର ଏବଂ ପାରାମେଡିକଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରିବ।

ଉଭୟ ଖରିଫ ଓ ରବି ଋତୁରେ ଫସଲ ଚାଷ ଜମିକୁ ଜଳ ସୁନିଶ୍ଚିତ କରିବା ପାଇଁ ‘ଜଳ କ୍ଲିଷ୍ଟ ଅଞ୍ଚଳରେ ଭୂତଳ ଜଳର ପୋଷଣୀୟ ବିନିଯୋଗ’ ଯୋଜନାରେ ୩୬୪.୪୦ କୋଟି ଟଙ୍କାର ଖର୍ଚ୍ଚକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଥିରେ କ୍ଲଷ୍ଟର ଭିତ୍ତିରେ ଅଗଭୀର ନଳକୂଅ ଖନନ ସହ ସୌର ଶକ୍ତିରେ ଜଳ ଉତ୍ତୋଳନ ବ୍ୟବସ୍ଥା ଦ୍ଵାରା ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇବ।

Tags: #CabinetMeeting #StateCabinetMeeting #Odisha #CMOdisha #Proposals

Comment