ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟ ‘ଏନଭିଏସ-୦୧’କୁ ସଫଳତାର ସହ ଉତକ୍ଷେପଣ କରିଛି। ଶୁକ୍ରବାର ସକାଳ ୧୦ଟା ୪୨ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି। ଇସ୍ରୋ ନିଜର ରକେଟ ‘ଜିଏସଏଲଭି-ଏଫ ୧୨’ ଜରିଆରେ ଏହି ସାଟେଲାଇଟକୁ ମହାକାଶକୁ ପଠାଇଛି।

ଜିଏସଏଲଭି ରକେଟ ଉତକ୍ଷେପଣ ହେବାର ମାତ୍ର ୧୯ ମିନିଟ ମଧ୍ୟରେ ‘ଏନଭିଏସ-୦୧’ ସାଟେଲାଇଟକୁ ୨୫୧ କିଲୋମିଟର ଉଚ୍ଚରେ ଥିବା ନିଜ କକ୍ଷରେ ଅବସ୍ଥାପିତ କରାଇଥିଲା। ଏହି ସାଟେଲାଇଟର ଓଜନ ୨୨୩୨ କିଲୋଗ୍ରାମ ରହିଛି। ଭାରତରେ ବ୍ୟବହାର ହେଉଥିବା ଇଣ୍ଡିଆନ ନାସନାଲ୍ ନାଭିଗେସନ ସାଟେଲାଇଟ ସିଷ୍ଟମ (ଆଇଆରଏନଏସଏସ) ଅନ୍ତର୍ଗତ ଏହି ନୂଆ ‘ଏନଭିଏସ-୦୧’ ସାଟେଲାଇଟକୁ ବ୍ୟବହାର କରାଯିବ।

“ଇସ୍ରୋ ‘ଏନଭିଏସ-୦୧’ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷରେ ପହଞ୍ଚାଇବାରେ ସଫଳ ହୋଇଛି। ଏହା ଭାରତରେ ବର୍ତ୍ତମାନ ନାଭିଗେସନ ପାଇଁ ବ୍ୟବହାର ହେଉଥିବା ପଦ୍ଧତିକୁ ଆହୁରି ଉନ୍ନତ କରିବ। ଏବେ ‘ଏନଭିଏସ’ର ପ୍ରଥମ ସାଟେଲାଇଟର ଉତକ୍ଷେପଣ ହୋଇଥିବାବେଳେ ଆଗକୁ ଏହିଭଳି ଆହୁରି ୪ଟି ସାଟେଲାଇଟକୁ ଉତକ୍ଷେପଣ କରାଯିବ। ଏବେ ଇସ୍ରୋ ନିଜର ପରବର୍ତ୍ତୀ ଲଞ୍ଚରେ ‘ଇନସାଟ୍’ ସାଟେଲାଇଟ ମହାକାଶକୁ ପଠାଇବ”, କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ।

ଶୁକ୍ରବାର ସାଟେଲାଇଟ ଉତକ୍ଷେପଣ ପାଇଁ ଇସ୍ରୋ ପକ୍ଷରୁ ବ୍ୟବହାର ହୋଇଥିବା ‘ଜିଏସଏଲଭି-ଏଫ ୧୨’ ରକେଟର ଓଜନ ୪୨୦ ଟନ ରହିଛି। ଏହାର ଲମ୍ଭ ୫୧.୭ ମିଟର। ୨୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ସାଟେଲାଇଟକୁ ମହାକାଶର ‘ଜିଓସିଂକ୍ରୋନସ କକ୍ଷ’ରେ ପହଞ୍ଚିବା ପାଇଁ ଏହି ରକେଟ ବ୍ୟବହାର ହୋଇଥାଏ। ଶୁକ୍ରବାର ଏହି ରକେଟର ନବମ ସଫଳ ଉତକ୍ଷେପଣ ରହିଥିଲା।

Tags: #ISRO #NVS-01Satellite #SuccessfulLaunch #AdvancedNavigation #IRNSS #SrihariKota #India

Comment