ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ୫ ଦିନିଆ କୁଇ ଓ ଦେଶିଆ ଭାଷାର ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀଙ୍କ ନିମନ୍ତେ ପ୍ରାରମ୍ଭିକ ଶିକ୍ଷାସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବା ଉଦ୍ଦେଶ୍ୟରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ଲାଗି ଏହି କର୍ମଶାଳା ଆୟୋଜନ କରାଯାଇଛି।

ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (ଏନସିଇଆରଟି), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ), ଭୁବନେଶ୍ଵର ଏବଂ କୋରାପୁଟ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ପାଞ୍ଚଦିନିଆ ଜାତୀୟ କର୍ମଶାଳା ମେ’ ୨୯ ତାରିଖରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କର୍ମଶାଳା ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

 

ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି କର୍ମଶଳାକୁ ଉଦଘାଟନ କରି କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବା ଦ୍ୱାରା ଏହି ଭାଷାଭାଷୀ ଲୋକଙ୍କର ବିକାଶ ହେବା ସହ ଦେଶର ବିକାଶ ହୋଇପାରିବ ବୋଲି କହିଥିଲେ।

ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଷା ସମୂହର ଡିନ ପ୍ରଫେସର ନୃସିଂହ ଚରଣ ପଣ୍ଡା  ଏବଂ ବିଶିଷ୍ଠ ସାହିତ୍ୟିକା ଡକ୍ତର ପ୍ରୀତିଧାରା ସାମଲ କୁଇ ଓ ଦେଶିଆ ଭାଷାରେ ପ୍ରାଥମିକ ସ୍ତରରେ ପଠ୍ୟପୁସ୍ତକ ପ୍ରସ୍ତୁତ କରିବା ସମୟରେ କେଉଁ ଦିଗପ୍ରତି ଧାନ ଦେବାକୁ ପଡ଼ିବ ସେ ବିଷୟରେ ଉଲ୍ଲେଖ କରିଥିଲେ।

ଗତ ଅପ୍ରେଲ ୧ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଗସ୍ତରେ ଆସିଥିବା ସମୟରେ  କୁଇ ଓ ଦେଶିଆ ଭାଷାଭାଷୀ ଲୋକଙ୍କ ଭାଷାଗତ ସମସ୍ୟାର ସମାଧାନ କରିବାକୁ ନିମନ୍ତେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ନିମନ୍ତେ ଗୁରୁଦାୟିତ୍ଵ ନେବାକୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଏନସିଇଆରଟିକୁ ପରାମର୍ଶ ଦେଇଥିଲେ। ଏହା ପରେ ଏନସିଆରଟି ପକ୍ଷରୁ ଏ ନେଇ ଏକ କମିଟି ଗଠନ କରାଯାଇଥିଲା। କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିଲା।

ଶ୍ରବଣ, କଥନ, ପଠନ ଓ ଲିଖନକୁ ଗୁରୁତ୍ଵ ଦେଇ ଏହି କାର୍ମଶାଳାରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ ଓ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରହିଥିବା କମିଟି ପକ୍ଷରୁ କହାଯାଇଛି। ପାଠ୍ୟ ପୁସ୍ତକ ପ୍ରସ୍ତୁତ ବେଳେ ଏହି ଭାଷାଭାଷୀ ଲୋକଙ୍କ ଉଚ୍ଚାରଣ, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ଵ ଦିଆଯିବ।

ସମାଜ ଶାସ୍ତ୍ର ବିଭାଗର ସହ ପ୍ରାଧ୍ୟାପକ ଡକ୍ଟର କପିଳ ଖେମୁଣ୍ଡୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଓଡ଼ିଆ ବିଭାଗର ଅଧ୍ୟାପିକା ଡକ୍ଟର ରୁଦ୍ରାଣୀ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ମଶାଳାରେ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଗୋପବନ୍ଧୁ ମହାନ୍ତି, ଡକ୍ଟର ପରମାନନ୍ଦ ପଟେଲ, ଡକ୍ଟର ରାଜେନ୍ଦ୍ର ପାଢ଼ୀ, ଡକ୍ଟର କପିଳ ଖେମଣ୍ଡୁ, ଡକ୍ଟର ରୁଦ୍ରାଣୀ ମହାନ୍ତି, ଡକ୍ଟର ଗୋବିନ୍ଦ ଚନ୍ଦ୍ର ପେଣ୍ଡେଇ, ସୁରେଶ ଖରାଙ୍କ ସମେତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡକ୍ଟର ଫଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Tags: #CentralUniversity #NationalWorkshop #KuiAndDesiaLanguage

LEAVE A REPLY

Please enter your comment!
Please enter your name here