ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ କୁଇ ଓ ଦେଶିଆ ଭାଷା ଉପରେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ସୋମବାର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି ଶିବିରକୁ ଉଦଘାଟନ କରିଛନ୍ତି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ୬୦ ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ କୁଇ ଓ ଦେଶିଆ ଭାଷାରେ ଶିକ୍ଷାଦାନ ପାଇଁ ଆବଶ୍ୟକ ଜ୍ଞାନ ଏବଂ ପ୍ରଶିକ୍ଷଣ ଦିଆଯିବ। ବିଶ୍ଵବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହ ମିଳିତ ଭାବେ ଏହି ଶିବିରର ଆୟୋଜନ କରାଯାଇଛି। ଏହା ବୁଧବାର ଯାଏଁ ଚାଲିବ।  

“ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ପାଇଁ ମାତୃଭାଷା ସହ ଆଞ୍ଚଳିକ ଭାଷାର ଅନେକ ଗୁରୁତ୍ଵ ରହିଛି। ଏହାଦ୍ଵାରା ସେମାନେ ସହଜରେ ସବୁ ବିଷୟ ବୁଝିପାରନ୍ତି। ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ଏହି ଶିବିରରେ ଯୋଗ ଦେଇଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି” କହିଛନ୍ତି ପ୍ରଫେସର ଚକ୍ରଧର ତ୍ରିପାଠୀ।

  

ସେହିପରି କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି ସି ଅଗ୍ରୱାଲ ଶିକ୍ଷାର ପରିବର୍ତ୍ତିତ ଦୃଷ୍ଟିକୋଣ ଏବଂ ସମାଜ ଗଠନରେ ଯୁବଗୋଷ୍ଠୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହାସହ ଦେଶର ଉନ୍ନତି ପାଇଁ ଶିକ୍ଷାର ନିରନ୍ତର ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଲାଙ୍ଗୁଏଜର ଡିନ୍ ପ୍ରଫେସର ଏନ ସି ପଣ୍ଡା, ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର କପିଳା ଖେମୁଣ୍ଡୁ ଏବଂ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଆସୋସିଏଟ୍ ପ୍ରଫେସର ଡକ୍ଟର ରଶ୍ମିରେଖା ସେଠୀ ପ୍ରମୁଖ ଯୋଗ ଦେଇଥିଲେ।   

Tags: #CentralUniversityOdisha #KuiandDesiaLanguage #TrainingProgramme #Education #Koraput #Odisha

LEAVE A REPLY

Please enter your comment!
Please enter your name here