ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ସେ ଭବାନୀପାଟଣାରେ ଆୟୋଜିତ ବିଜେପିର ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି ବିଷୟରେ କହିଥିଲେ। ଏହାଛଡ଼ା ସେ ବିରୋଧୀମାନଙ୍କୁ କଡ଼ା ସମାଲୋଚନା କରିଥିଲେ। ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବା ଉଦ୍ଦେଶ୍ୟରେ କାମ କରିବା ପାଇଁ ସେ କର୍ମମର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ।

ଶୁକ୍ରବାର ସକାଳୁ ଭବାନୀପାଟଣାରେ ପହଞ୍ଚି ପ୍ରଥମେ ମା’ ମାଣିକେେଶ୍ଵରୀଙ୍କ ପୀଠକୁ ଯାଇ ଦର୍ଶନ କରିଥିଲେ ଜେପି ନଡ୍ଡା। ସେଠାରୁ ସେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମକୁ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମାବେଶରେ ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଥିଲେ ଜେପି ନଡ୍ଡା। ଏହାପରେ ସେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀମାନଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତାର ପୃଷ୍ଠା ଖୋଲିଥିଲେ ନଡ୍ଡା।

“ଭାରତକୁ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଆଗକୁ ଯାଇ ଆମେ ବିକାଶଶୀଳ ଦେଶ ନୁହେଁ ବିକଶିକ ରାଷ୍ଟ୍ର ବୋଲି ପରିଚୟ ପାଇବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵକୁ ସାରା ବିଶ୍ଵ ପ୍ରଶଂସା କରୁଛୁି। ଏବେ ଭାରତରେ ଭୋଟ ରାଜନୀତିକୁ ଛାଡ଼ି ରିପୋର୍ଟ କାର୍ଡ ରାଜନୀତି ଆରମ୍ଭ ହୋଇଛି। ଯାହା କହିଥିଲେ ତା’ଠାରୁ ଅଧିକ କାମ କରି ଦେଖାଇଛନ୍ତି କେନ୍ଦ୍ର ସରକାର”, କହିଛନ୍ତି ଜେ ପି ନଡ୍ଡା।

ଏହି କାର୍ଯ୍ୟକ୍ରମରେ ବିଜେପି ଅଧ୍ୟକ୍ଷ କଂଗ୍ରେସକୁ ଟାର୍ଗେଟ କରିଥିଲେ। ପାଟନାରେ ବିରୋଧୀ ଦଳର ମେଳିକୁ କଟାକ୍ଷ କରି ସେ କହିଛନ୍ତି, “ଆଜି ପାଟନାରେ କଂଗ୍ରେସ ସହ କିଛି ବିରୋଧୀ ଦଳ ନେତା ଏକାଠି ହୋଇଛନ୍ତି। ସେମାନେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏକତ୍ରିତ ହୋଇ ନିଜର ରାଜନୀତି କରୁଛନ୍ତି। ଯେଉଁ ରାହୁଲ ଗାନ୍ଧୀଙ୍କ ଜେଜେମା ଲାଲୁ ଯାଦବ, ନୀତିଶ କୁମାରଙ୍କୁ ଜେଲ ପଠାଇଥିଲେ, ଆଜି ସେମାନେ ସେଠାରେ ରାହୁଲଙ୍କୁ ସହ ଏକାଠି ହୋଇଛନ୍ତି।”

ଓଡ଼ିଶା ସରକାରଙ୍କୁ ନଡ୍ଡାଙ୍କ ଟାର୍ଗେଟ

ଜେ ପି ନଡ୍ଡା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି କହିଥିଲେ, “ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ସରକାର ଚାଲିଛି। କିନ୍ତୁ ଓଡିଶାର ବିଶେଷ ଉନ୍ନତି ହୋଇନାହିଁ। ଅଧିକାଂଶ କ୍ଷେତ୍ରରେ ରାଜ୍ୟ ଏବେ ପଛୁଆ। ଓଡ଼ିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ନପାଇ ଅନ୍ୟମାନେ ଏଥୁରୁ ଫାଇଦା ଉଠାଉଛନ୍ତି। ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଏହାର ତଦନ୍ତ କରିବାକୁ କହିବି। ଯିଏ ଦୋଷୀ ତାକୁ ଜେଲ ପଠାଯିବ।”

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ କିଏ ଶାସନ କରୁଛି ତାହା କାହାକୁ ଜଣାନାହିଁ। ଓଡ଼ିଶାକୁ ନେତା ନାଁ ଅଫିସର ଚଳାଉଛନ୍ତି କିଛି ଜଣା ପଡ଼ୁନି। ଏଠି ଶାସକ ଦଳର ସାଂସଦ ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି। ଅଧିକାରୀଙ୍କ ହାତରେ ପୁରା ଶାସନ ଭାର ଟେକି ଦେଇଛନ୍ତି ନବୀନ ପଟ୍ଟନାୟକ। ଭ୍ରଷ୍ଟାଚାର ଆଉ ଦୁର୍ନୀତିରେ ରାଜ୍ୟ ସରକାର ବୁଡ଼ି ରହିଛନ୍ତି। ଅଧିକାଂଶ ସମୟରେ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଓଡ଼ିଶାର ଲୋକେ ରାଜ୍ୟରେ ଡବଲ ଇଞ୍ଜିନର ବିଜେପି ସରକାର ଦେଖିବାକୁ ଚାହୁଁଛନ୍ତି। ଏବେ ଏହାର ସମୟ ଆସିଯାଇଛି।”

ଏହି କାର୍ଯ୍ୟକ୍ରମରେ ଜେପି ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ଵରୀ ଓ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ବିଜେପିର ଅନେକ କର୍ମକର୍ତ୍ତା ଏଠାରେ ଉପସ୍ଥିତ ଥିଲେ।

Tags: #JPNadda #BJPPresident #JanSamparkProgram #Politics #Odisha

 

Comment