ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସୋମବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା। ଏହାସହ ଓଡ଼ିଶା ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଏସଓଏସସି) ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ଚଳିତବର୍ଷ ସପ୍ଲିମେଣ୍ଟାରି ପରୀକ୍ଷାରେ ୧,୩୧୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସେହିପରି ୮ ହଜାର ୯୧୫ ଜଣ ଛାତ୍ରଛାତ୍ରୀ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଦେଉଛନ୍ତି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ସକାଳ ୯ଟାରୁ ୧୧ଟା ଗୋଟିଏ ସିଟିଙ୍ଗରେ ହେଉଛି। ସେହିପରି ଏସ୍‌ଓଏସ୍‌ସି ପରୀକ୍ଷା ଦିନକୁ ଦୁଇଟି ସିଟିଂରେ ହେବ। ପ୍ରଥମ ସିଟିଂ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୧ଟା ଏବଂ ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର ୮୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେଉଛି। ଜୁଲାଇ ୮ ତାରିଖ ଯାଏଁ ଦୁଇ ପରୀକ୍ଷା ଚାଲିବ।

ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାରେ ପରୀକ୍ଷାରେ ଅନିୟମିତତା ରୋକିବା ଲାଗି ବୋର୍ଡ ପକ୍ଷରୁ ୧୫ଟି ସ୍କ୍ୱାଡ୍ ଗଠନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦ୍ୱାରା ମଧ୍ୟ ପୃଥକ ସ୍କ୍ୱାଡ୍ ଗଠନ କରାଯାଇଛି।

ଗତ ୨ ବର୍ଷ ଧରି ଓଡ଼ିଶାରେ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ହୋଇନଥିଲା। ଏହାବଦଳରେ ଦଶମରେ ୨ଟି ସମ୍ମେଟିଭ୍ ପରୀକ୍ଷା ହେଉଥିଲା। ୨ଟି ପରୀକ୍ଷାର ନମ୍ବରକୁ ନେଇ ମାଟ୍ରିକ ରେଜଲ୍ଟ ବାହାରୁଥିଲା। ଚଳିତବର୍ଷ ସପ୍ଲିମେଣ୍ଟାରି ପରୀକ୍ଷା ବୋଲି ମାଟ୍ରିକ ରେଜଲ୍ଟ ବାହାରିବାବେଳେ ସୂଚନା ଦିଆଯାଇଥିଲା। ଏହାଛଡ଼ା ୨୦୨୩-୨୪ ଶିକ୍ଷାବର୍ଷରୁ ଦଶମରେ ଗୋଟିଏ ଥର ବୋର୍ଡ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Tags: #MatricSupplementaryExam #Students #Education #BSE #Odisha

 

Comment