ଓଡ଼ିଶାଲାଇଭ୍ ବ୍ୟୁରୋ

ଶାରୀରିକ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ବୋଲି ବିବେଚିତ ହେବ ନାହିଁ। ଯଦି ଏ ସମ୍ପର୍କୀତ କୌଣସି ଦୁଷ୍କର୍ମ ଅଭିଯୋଗ ଆସେ, ତେବେ ତାହା ଗ୍ରହଣୀୟ ହେବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ।

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ ପାଇଁ ରାଜି ନହେବାରୁ ଭୁବନେଶ୍ୱରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ସମ୍ପୃକ୍ତ ମହିଳାଙ୍କ ପୁରୁଷ ବନ୍ଧୁ ମନୋରଞ୍ଜନ ଦାସଙ୍କ ବିରୋଧରେ ଧାରା ୩୭୬ରେ ମାମଲା ରୁଜୁ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ। ଏହି ମାମଲାକୁ ଚ୍ୟାଲେଞ୍ଜ କରି ମନୋରଞ୍ଜନ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ହାଇକୋର୍ଟ ବିଚାରପତି ଜଷ୍ଟିସ ଆର କେ ପଟ୍ଟନାୟକ ମାମଲାର ଶୁଣାଣି କରି କହିଥିଲେ, “ବିବାହ ପାଇଁ ଭଲ ମନରେ ଜଣଙ୍କୁ ପ୍ରତିଶ୍ରୁତି ଦେଇ ପରେ ପଛଘୁଞ୍ଚା ଦେବା ଏବଂ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେବା ସମାନ କଥା ନୁହେଁ। ତେଣୁ ଆବେଦନକାରୀଙ୍କ ବିରୋଧରେ ଦଫା ୩୭୬ ଲାଗୁ ହୋଇପାରିବ ନାହିଁ।”

ଆବେଦନକାରୀ ମନୋରଞ୍ଜନ ଦାସଙ୍କ ସହ ସମ୍ପୃକ୍ତ ମହିଳାରଙ୍କର ଦୀର୍ଘ ବର୍ଷ ଧରି ବନ୍ଧୁତା ରହିଥିଲା। ଉଭୟ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା। ମନୋରଞ୍ଜନ ସମ୍ପୃକ୍ତ ବିବାହିତା ମହିଳାଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ମହିଳାଙ୍କର ଛାଡ଼ପତ୍ର ହୋଇନଥିବାରୁ ବିବାହ ସମ୍ଭବ ନୁହେଁ ବୋଲି ସେ କହିଥିଲେ। ପରେ ମନୋରଞ୍ଜନ ମହିଳାଙ୍କୁ ବିବାହ କରିବାକୁ ରାଜି ହୋଇନଥିଲେ। ଏହା ବିରୋଧରେ ମହିଳା ଜଣଙ୍କ ଭୁବନେଶ୍ଵର ଏସଡିଜେଏମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ମାମଲାର ବିଚାର କରି ମହିଳାଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରି ତଦନ୍ତ କରିବାକୁ ଲକ୍ଷ୍ମୀସାଗର ଥାନାକୁ ଭୁବନେଶ୍ଵର ଏସଡିଜେଏମ କୋର୍ଟ ନିର୍ଦେଶ ଦେଇଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ ମନୋରଞ୍ଜନ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣିକରି ଜଷ୍ଟିସ ଆର କେ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

Tags: #OdishaHighCourt #Verdict #Relationship #PhysicalRelationship

Comment