ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହିତ ଝିଅଙ୍କୁ ବି ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି। ଜଣେ ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଂଗରେ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

ମୃତ ସରକାରୀ କର୍ମଚାରୀଙ୍କ ଝିଅ ଗାୟତ୍ରୀ ନାୟକ ଅବିବାହିତ ଥିବା ସମୟରେ ଥଇଥାନ ଯୋଜନାରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ନିଯୁକ୍ତି ମିଳିବା ବେଳକୁ ତାଙ୍କର ବିବାହ ହୋଇଯାଇଥିଲା। କାର୍ଯ୍ୟରେ ଯୋଗ ଦେବାର କିଛି ଦିନ ପରେ ବିବାହିତ ଦର୍ଶାଇ ଗାୟତ୍ରୀଙ୍କୁ ଚାକିରିରୁ ଅନ୍ତର କରାଯାଇଥିଲା।

ବିବାହ କଥା ଲୁଚାଇବା ଏବଂ ବିବାହିତ ହୋଇଥିବାରୁ ଗାୟତ୍ରୀଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ମିଳିପାରିବ ନାହିଁ ବୋଲି ଦର୍ଶାଇ ଗତ ୨୦୧୩ ମସିହା ଡିସେମ୍ବର ୨୦ ତାରିଖରେ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଗାୟତ୍ରୀ ନାୟକ ୨୦୧୩ ମସିହାରେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍)ଙ୍କ ଦ୍ଵାରସ୍ଥ ହୋଇଥିଲେ। ସ୍ୟାଟ୍ ଉଚ୍ଛେଦ ହେବା ପରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।

ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ, ୨୦୦୯ ମସିହା ଜାନୁଆରି ୯ ତାରିଖରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଆବେଦନକାରୀ ଗାୟତ୍ରୀ ନାୟକ ୨୦୦୯ ମସିହା ଏପ୍ରିଲ ୯ ତାରିଖରେ ଥଇଥାନ ଯୋଜନାରେ ନିଯୁକ୍ତି ପାଇଁ ଦରଖାସ୍ତ ଦାଖଲ କରିଥିଲେ। ୨୦୧୧ ମସିହା ଜୁନ ୧୨ ତାରିଖରେ ସେ ବିବାହ କରିଥିଲେ। ୨୦୧୩ ମସିହା ସେପ୍ଟେମ୍ବର ୨୫ ତାରିଖରେ ତାଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ମିଳିଥିଲା।

ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ସେ ଅବିବାହିତ ଥିଲେ। ଏହା ସହ ବିବାହିତ ଝିଅଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ମିଳିପାରି ବୋଲି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ରାୟ ରହିଛି। ଚାକିରି ପାଇଁ ଦରଖାସ୍ତ ଦାଖଲ କରିବା ସମୟରେ ଆବେଦନକାରୀ ଗାୟତ୍ରୀ ସବୁ ଦୃଷ୍ଟିରୁ ଯୋଗ୍ୟ ଥିବା ଶୁଣାଣି ସମୟରେ ଦର୍ଶାଯାଇଥିଲା।

ହାଇକୋର୍ଟ ଏହିପରି ଯୁକ୍ତିକୁ ଗ୍ରହଣ କରି ୨୦୧୩ ମସିହା ଡିସେମ୍ବର ୨୦ ତାରିଖରେ ଆବେଦନକାରୀଙ୍କୁ ଚାକିରିରୁ ଅନ୍ତର ପ୍ରସଂଗରେ ପ୍ରଦାନ କରାଯାଇଥିବା ନିର୍ଦେଶକୁ ରଦ୍ଦ କରିଛନ୍ତି। ଏହା ସହ ଦୁଇ ମାସ ମଧ୍ୟରେ ପୁନର୍ବାର ଆବେଦନକାରୀଙ୍କୁ ଚାକିରିରେ ଅବସ୍ଥାପିତ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଖଣ୍ଡପୀଠ ଗାୟତ୍ରୀ ନାୟକଙ୍କ ଆବେଦନର ଶୁଣାଣି କରି ଏହିପରି ନିର୍ଦେଶ ଦେଇଛନ୍ତି।

Tags: #OdishaHighCourt #Verdict #Employment #Odisha #Compensation

Comment