ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟରେ କିଶୋରୀମାନଙ୍କ ସହ ସପ୍ତାହକୁ ଥରେ ଟେଲିଫୋନ ମାଧ୍ୟମରେ ଆଲୋଚନା କରିବାକୁ ଯୋଜନା କରାଯାଇଛି। ଏହି ଆଲୋଚନା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଶେଷ କରି ‘ପୋଷଣ ଅଭିଯାନ’ରେ ଉପକୃତ ହେଉଥିବା ଝିଅମାନଙ୍କଠାରୁ ଆବଶ୍ୟକୀୟ ମତାମତ ସଂଗ୍ରହ କରାଯିବ। ଏନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଏନ ସି ଜ୍ୟୋତିରଞ୍ଜନ ସିଂହ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗର ସୂଚନା ଅନୁସାରେ ପ୍ରତି ଶନିବାର ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଟେଲିଫୋନ କିମ୍ବା ଭିଡିଓ କନଫରେନ୍ସ ମାଧ୍ୟମରେ କିଶୋରୀମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ମିଳୁଥିବା ବିଭିନ୍ନ ଯୋଜନା ବାବଦରେ ତଥ୍ୟ ହାସଲ କରିବେ। ଏହା ଦ୍ଵାରା ରାଜ୍ୟ ସରକାରଙ୍କ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ଏଥିରେ ମିଳୁଥିବା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ମାନ ଭଲ ରହୁଛି କି ନାହିଁ ଏବଂ ଯୋଜନାରେ ଆଉ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି କି? ସେ ସବୁ ବାବଦରେ ମତାମତ ନିଆଯିବ।

ସେହିପରି ତୃଣମୂଳ ସ୍ତରରେ କାମ କରୁଥିବା ଅଙ୍ଗନବାଡ଼ିକର୍ମୀଙ୍କ ସହ ମିଶି ଝିଅମାନଙ୍କଠାରୁ ତଥ୍ୟ ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଯଥା ଉପଜିଲ୍ଲାପାଳ, ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନଙ୍କୁ ଏହି ପ୍ରକ୍ରିୟାର ତଦାରଖ କରିବାକୁ କୁହାଯାଇଛି।

ଅନ୍ୟପଟେ ଝିଅମାନଙ୍କ ବାବଦରେ ଅଙ୍ଗନବାଡ଼ିକର୍ମୀଙ୍କଠାରୁ ମିଳିଥିବା ତଥ୍ୟକୁ ଜିଲ୍ଲାପାଳ ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦେଶ ରହିଛି। କିଶୋରୀମାନଙ୍କଠାରୁ ମିଳିଥିବା ମତାମତ ଦ୍ୱାରା ଆଗକୁ ବିଭିନ୍ନ ଯୋଜନାର ଆବଶ୍ୟକୀୟ ପରିବର୍ତ୍ତନ କରାଯାଇପାରିବ।

Tags: #AdolescentGirls #TeleConversation #Beneficiaries #WCDOdisha

 

Comment