ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛାତ୍ରୀମାନଙ୍କୁ ସ୍କୁଲ ଶିକ୍ଷା ସହ ଯୋଡ଼ି ରଖି ପାରି ନାହାନ୍ତି ସରକାର। ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଦିଆଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ନାରୀ ଶିକ୍ଷା ପ୍ରତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଉଛନ୍ତି ଗୁରୁତ୍ୱ। ଛାତ୍ରମାନଙ୍କୁ ସ୍କୁଲ ମୁହାଁ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଛାତ୍ରୀମାନେ ସ୍କୁଲରୁ ମୁହଁ ଫେରାଇ ନେଉଛନ୍ତି। ଏମିତି ତଥ୍ୟ ଆସିଛି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ହୋଇଥିବା ସର୍ଭେରୁ। ୫୫ ହଜାର ୮୬୮ ଛାତ୍ରୀ ଅଧାରୁ ସ୍କୁଲ୍ ଛାଡ଼ିଥିବା ସର୍ଭେରୁ ଜଣାପଡ଼ିଛି।

ଏନେଇ ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି। ରାଜ୍ୟରେ ବାଳିକା ଶିକ୍ଷା ଉଦବେଗଜନକ ରହିଥିବା ଚିଠିରେ ଦର୍ଶାଯାଇଛି। ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଫଳରେ ଗଣଶିକ୍ଷା ଏବଂ ମହିଳା ବିକାଶ ବିଭାଗ ମୁହାଁମୁହିଁ ହୋଇଛନ୍ତି। କେଉଁ ଆଧାରରେ ସର୍ଭେ କରାଗଲା ସେନେଇ ପ୍ରଶ୍ନ ଉଠାଇଛି ଗଣଶିକ୍ଷା ବିଭାଗ। ୧୧ରୁ ୧୪ ବର୍ଷ ମଧ୍ୟରେ ପିଲାଙ୍କୁ ନେଇ ସର୍ଭେ କରିଥିଲା ବିଭାଗ।

“ଫିଲ୍ଡ ସର୍ଭେ କରି ଆମେ ଏହି ତଥ୍ୟ ସଂଗ୍ରହ କରିଛୁ। ଆମ ପାଖକୁ ଯାହା ତଥ୍ୟ ଆସିଥିଲା ଆମେ ତାହାକୁ ଗଣଶିକ୍ଷା ବିଭାଗକୁ ଅବଗତ କରିଦେଇଛୁ”, କହିଛନ୍ତି ମହିଳା, ଶିଶୁବିକାଶ ଏବଂ ମିଶନଶକ୍ତି ବିଭାଗର ଯୁଗ୍ମ ସଚିବ ରଶ୍ମିରଞ୍ଜନ ନାୟକ।

ମହିଳା ଓ ଶିଶୁ ବିକାଶ ବିଭାଗର ତଥ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର।

ସେ କହିଛନ୍ତି, “୨୦୧୭ରେ ଓପେପା ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ରାଜ୍ୟରେ ୧୦୬୦ ଛାତ୍ରୀ ସ୍କୁଲ ଯାଉ ନଥିବା ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ବର୍ତ୍ତମାନ ଯେଉଁ ରିପୋର୍ଟ ଆସିଛି ସେନେଇ ଅନୁଧ୍ୟାନ କରାଯିବ।

ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ହୋଇଥିବା ସର୍ଭେରେ ଦର୍ଶାଯାଇଛି ଯେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୧୦ ହଜାର ୫୯୯ ଜଣ ଛାତ୍ରୀ ସ୍କୁଲ ଛାଡ଼ିଛନ୍ତି। ସେହିପରି ନବରଙ୍ଗପୁର ଜିଲ୍ଲାରେ ୮ ହଜାର ୮୯୯, କଳାହାଣ୍ଡିରେ ୭ ହଜାର ୧୭୩, ରାୟଗଡ଼ା ଜିଲ୍ଲାରେ ୫ ହଜାର ୩୨୦ ଛାତ୍ରୀ ସ୍କୁଲ ଛାଡ଼ିଛନ୍ତି।

ଛାତ୍ରୀଙ୍କୁ ସ୍କୁଲ୍ ମୁହାଁ କରିବା ପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ନାରା ଦେଉଥିବା ବେଳେ ରାଜ୍ୟ ସରକାର ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁର ସ୍ଲୋଗାନ ଦେଉଛନ୍ତି। ଏହାସହ ୟୁନିଫର୍ମ, ମଧ୍ୟାହ୍ନଭୋଜନ, ସାଇକେଲ୍ ଦିଆଯାଉଛି। କିନ୍ତୁ ମହିଳା, ଶିଶୁ ଏବଂ ମିଶନଶକ୍ତି ବିକାଶ ବିଭାଗର ସର୍ଭେ ରିପୋର୍ଟ ଏବେ ଚିନ୍ତାର ବିଷୟ ପାଲଟିଛି।

Comment