ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଘରେ ଘରେ ଅରୁଣିମା କ୍ୟାଲେଣ୍ଡର ଉନ୍ମୋଚିତ
  • ଘରେ ରହି ପିଲା ପାଇବେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା
  • ଏପ୍ରିଲ ମାସ ପାଇଁ କ୍ୟାଲେଣ୍ଡର ଜାରି କଲା ମହିଳା ଓ ଶିଶୁ ବିକାଶ ବିଭାଗ
  • କ୍ୟାଲେଣ୍ଡର ଉନ୍ମାେଚନ କଲେ ସଚିବ ଅନୁ ଗର୍ଗ
  • ପିଲା କେଉଁ ବାରରେ କ’ଣ କରିବେ ତାହା ଜଣାଇଲା ବିଭାଗ
  • କୋଭିଡ୍‌-୧୯ ପାଇଁ ୟୁନିସେଫ୍‌ ସହାୟତାରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ପଦକ୍ଷେପ

କୋଭିଡ୍‌-୧୯ ମହାମାରୀ ପାଇଁ ଏବେ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ୩ରୁ ୬ ବର୍ଷ ପର୍ଯ୍ୟନ୍ତ ପିଲାମାନେ ଘରେ ରହି କିପରି ପ୍ରାକ୍‌ ଶୈଶବ ଯତ୍ନ ଏବଂ ଶିକ୍ଷା ପାଇପାରିବେ ସେନେଇ ୟୁନିସେଫ୍‌ ସହାୟତାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୭୨ ହଜାର ୫୮୭ ଅଙ୍ଗନବାଡ଼ି କେନ୍ଦ୍ରର ୧୬ ଲକ୍ଷ ୧୩ ହଜାର ୬୭୫ ଶିଶୁ ଏହି ଶିକ୍ଷା ପାଇପାରିବେ।

ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଚାଲୁଥିବା ‘ନୂଆ ଅରୁଣିମା’ କାର୍ଯ୍ୟକ୍ରମ ଘରେ ଘରେ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏପ୍ରିଲ ମାସ ପାଇଁ ନୂଆ କ୍ୟାଲେଣ୍ଡର ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହି କ୍ୟାଲେଣ୍ଡରକୁ ଭିଡିଓ କନଫରେନ୍ସିଂ ଜରିଆରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଉନ୍ମୋଚନ କରିଥିଲେ।

‘‘ଘରେ ପିଲାମାନଙ୍କୁ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପରିବାରରେ ଏହି ପଦକ୍ଷେପ ନିହାତି ଖୁସି ଆଣିବ। ଶିଶୁମାନଙ୍କ ମାନସିକତା ଉପରେ ଏହା ସକରାତ୍ମକ ପ୍ରଭାବ ପକାଇବ। ପରିବାର ଭିତରେ ଆନ୍ତରିକତା ବୃଦ୍ଧି ପାଇବ’’, କହିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ।

ପିଲାମାନଙ୍କୁ କେଉଁ ବାରରେ କ’ଣ ଶିକ୍ଷା ଦିଆଯିବ ସେନେଇ ବିସ୍ତୃତ ଭାବେ ଏହି କ୍ୟାଲେଣ୍ଡରରେ ଦର୍ଶାଯାଇଛି। ବାପା, ମା’, ଜେଜେ ବାପା, ଜେଜେ ମା’ମାନେ ଏହି କ୍ୟାଲେଣ୍ଡର ଅନୁସାରେ ପିଲାଙ୍କୁ ପ୍ରାକ୍‌ ଶୈଶବ ଯତ୍ନ ଓ ଶିକ୍ଷା ପ୍ରଦାନ କରିବେ।

‘‘ଲକ୍‌ଡାଉନ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ‘ନୂଆ ଅରୁଣିମା’ କ୍ୟାଲେଣ୍ଡର ଜାରି କରାଯାଇଛି। ଏହି କ୍ୟାଲେଣ୍ଡର ଅନୁସାରେ ଘରେ ବସି ପିଲାମାନେ ପ୍ରାକ୍‌ ଶୈଶବ ଯତ୍ନ ଓ ଶିକ୍ଷା ପାଇପାରିବେ। ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ତୁଲାଇବା ପାଇଁ ବାପା, ମା’ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ବାପା, ମା’ମାନେ ନିଜ ଶିଶୁର ସୁରକ୍ଷା ପାଇଁ ଏହି କ୍ୟାଲେଣ୍ଡରକୁ ଗ୍ରହଣ କରିବେ ବୋଲି ଆଶା ରହିଛି’’, କହିଛନ୍ତି ୟୁନିସେଫ୍‌, ଓଡ଼ିଶାର ମୁଖ୍ୟ ମୋନିକା ନେସଲନ୍‌।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି କରାଯାଇଥିବା କ୍ୟାଲେଣ୍ଡରକୁ ଜିଲ୍ଲାରେ ଥିବା ଅଧିକାରୀମାନେ ଅଙ୍ଗନବାଡ଼ି କର୍ମୀଙ୍କ ପାଖକୁ ହ୍ୱାଟ୍ସ୍ଆପ୍‌ରେ ପଠାଇବେ। ଅଙ୍ଗନବାଡ଼ି କର୍ମୀମାନେ ଅଭିଭାବକଙ୍କ ହ୍ୱାଟ୍ସ୍‌ଆପ୍‌କୁ ପଠାଇବେ। ଯେଉଁ ଅଭିଭାବକମାନଙ୍କ ପାଖରେ ସ୍ମାର୍ଟ ଫାନ୍‌ ବା ଇଣ୍ଟନେଟ୍‌ ସୁବିଧା ନାହିଁ ସେମାନଙ୍କୁ ପ୍ରତି ୧୫ ଦିନରେ ଥରେ କ୍ୟାଲେଣ୍ଡରର ପ୍ରିଣ୍ଟ କପି ଯୋଗାଇ ଦିଆଯିବ।

ଏହି କ୍ୟାଲେଣ୍ଡରରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ବିଶେଷକରି ପିଲାମାନଙ୍କୁ କରୋନା ଭାଇରସ୍‌ଠାରୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଭଲଭାବେ ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ପରିସ୍କାର ପରିଚ୍ଛନ୍ନତା ରକ୍ଷା କରିବା ପାଇଁ କ୍ୟାଲେଣ୍ଡର ଜରିଆରେ ପିଲାମାନଙ୍କୁ ପରାମର୍ଶ ଦିଆଯାଇଛି।

coronaଘର ସଫା ସୁତରା ରଖିବା, ଗଛ ଚାରା ଲଗାଇବା, ଘରେ ନାଚ ଗୀତ କରିବା, ବିନ୍ଦୁ ଯୋଡ଼ି ରଙ୍ଗ ଦେବା, ଚିତ୍ର ଆଙ୍କିବା ଭଳି ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ପରାମର୍ଶ ଦିଆଯାଇଛି।

ଏହାସହ ହ୍ୱାଟସ୍‌ଆପ୍‌ ଗ୍ରୁପ ମାଧ୍ୟମରେ ଆଇସିଡିଏସ୍‌ କର୍ମକର୍ତ୍ତାମାନେ ଗୀତ, ଗପ ପଠାଇବେ। ଏହାକୁ ଅଙ୍ଗନବାଡ଼ି କର୍ମୀମାନେ ଅଭିଭାବକମାନଙ୍କୁ ପଠାଇବେ। ସେହିପରି ବାପା, ମା’ମାନେ ପିଲାମାନଙ୍କୁ ଯେଉଁସବୁ ଗପ କହିବେ ତାକୁ ଲିଖିତ ଆକାରରେ କିମ୍ବା ଭିଡିଓ ରେକର୍ଡିଂ କରି ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଇବା ଲାଗି ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।

Comment