ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବିରୋଧୀ ଏକତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ବେଙ୍ଗାଳୁରୁରେ ବସିବ ବିରୋଧୀ ଦଳଙ୍କ ଦ୍ଵିତୀୟ ଗରୁତ୍ଵପୂର୍ଣ୍ଣ ବୈଠକ। ଏଥିରେ କଂଗ୍ରେସ ସମେତ ୨୪ଟି ବିରୋଧୀ ଦଳର ନେତାମାନେ ଯୋଗ ଦେବେ। ଏଥିପାଇଁ ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ବରିଷ୍ଠ ନେତାମାନେ ବେଙ୍ଗାଳୁରୁରେ ପହଞ୍ଚିଛନ୍ତି।

ବିରୋଧୀଙ୍କ ଏହି ବୈଠକରେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିପକ୍ଷରେ ରଣନୀତିକୁ ନେଇ ବିଭିନ୍ନ ଆଲୋଚନା ହେବ। ଏହା ସହ ଲୋକସଭା ନିର୍ବାଚନ ପାଇଁ ସିଟ ଭାଗ ବାଣ୍ଟାକୁ ନେଇ ମଧ୍ୟ ଏଠାରେ ଚର୍ଚ୍ଚା ହୋଇପାରେ। ଏହା ପୂର୍ବରୁ ସୋମବାର ରାତିରେ ସବୁ ବିରୋଧୀ ନେତା ରାତ୍ରି ଭୋଜନ ପାଇଁ ଏକତ୍ରିତ ହେବେ।

“ବେଙ୍ଗାଳୁରୁରେ ମଙ୍ଗଳବାର ହେବାକୁ ଥିବା ବୈଠକରେ ଦେଶର ରାଜନୀତିକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ଏଥିରେ କେବଳ କଂଗ୍ରେସ ଏକୁଟିଆ ନିଷ୍ପତ୍ତି ନେବନାହିଁ ବରଂ ସବୁ ବିରୋଧୀ ଦଳ ଏକାଠି ବସି ଏକତ୍ର ନିଷ୍ପତ୍ତି ନେବେ”, କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେ ସି ଭେନୁଗୋପାଲ।

ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତାଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖିଆ ମମତା ବାନାର୍ଜୀ, ଏନସିପି ନେତା ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସେରୋନ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆରଜେଡି, ସିପିଏମ୍, ସିପିଆଇ, ଶିବସେନା (ଉଦ୍ଧବ ଠାକରେ ମେଣ୍ଟ), ସମାଜବାଦୀ ପାର୍ଟି, ନ୍ୟାସନାଲ କନଫରେନ୍ସ, ପିଡିପି, ସିପିଆଇ ଏମଏଲ୍, ଜେଏମଏମ୍, ଆରଏଲଡି, କେରଳ କଂଗ୍ରେସ ଭଳି ଅନ୍ୟ ଦଳର ନେତାମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବେ।

ଅନ୍ୟପଟେ ଏହି ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ କରିବା ପାଇଁ ରବିବାର କଂଗ୍ରେସ ପକ୍ଷରୁ ସହମତି ମିଳିଥିଲା। ଏଥିପାଇଁ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହା ପୂର୍ବରୁ ଜୁନ ମାସରେ ବିହାରର ରାଜଧାନୀ ପାଟନାରେ ବିରୋଧୀଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଜେଡିୟୁ ଓ ଆରଜେଡି ମିଳିତ ଭାବେ ଆୟୋଜନ କରିଥିବା ଏହି ବୈଠକରେ ୧୭ଟି ବିରୋଧୀ ଦଳର ନେତା ସାମିଲ ହୋଇଥିଲେ। ଏବେ କଂଗ୍ରେସ ନେତୃତ୍ଵରେ ହେଉଥିବା ଦ୍ଵିତୀୟ ବୈଠକରୁ କ’ଣ ନିଷ୍କର୍ଷ ବାହାରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Tags: #OppositionMeeting #OppositionUnity #2024GeneralElection #India

LEAVE A REPLY

Please enter your comment!
Please enter your name here