ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ନ୍ୟାୟିକ ବ୍ୟବସ୍ଥାରେ ରେକର୍ଡ କରିଛନ୍ତି ଓଡ଼ିଶା ହାଇକୋର୍ଟ। ସୋମବାର ହାଇକୋର୍ଟଙ୍କ ୨ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୭୫ଟି ଫୌଜଦାରୀ ମାମଲାର ରାୟ ଶୁଣାଇଛନ୍ତି। ଜୁଲାଇ ୨୬ ତାରିଖରେ ଓଡ଼ିଶା ହାଇକୋର୍ଟକୁ ୭୫ ବର୍ଷ ପୂର୍ତ୍ତି ହେଉଥିବାବେଳେ ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ଗୋଟିଏ ଦିନରେ ୭୫ଟି ମାମଲାର ରାୟ ପ୍ରକାଶ ପାଇଛି।

ଓଡ଼ିଶା ହାଇକୋର୍ଟ ବିଚାରପତି ଜ‌ଷ୍ଟିସ ଦେବବ୍ରତ ଦାଶ ଓ ଜଷ୍ଟିସ ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାଗୁଡ଼ିକର ରାୟ ଶୁଣାଇଥିଲେ। ଏହି ସବୁ ମାମଲା ମଧ୍ୟରୁ ଅଧିକାଂଶ ୭ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିଲା। ୨୦୨୩ ଜୁନ୍ ୨୧ ତାରିଖରୁ ହାଇକୋର୍ଟ ଏହି ସବୁ ମାମଲାର ଶୁଣାଣି ଆରମ୍ଭ କରି ରାୟ ସରଂକ୍ଷିତ ରଖିଥିଲେ।

ସୋମବାର ଓଡ଼ିଶା ହାଇକୋର୍ଟ ଅନେକ ମାମଲାର ବିଚାର କରି ନିମ୍ନ ଅଦାଲତର ରାୟକୁ ରଦ୍ଦ କରିଥିଲେ। ଏହି ସବୁ ମାମଲାରେ ଦୀର୍ଘ ବ‌ର୍ଷ ଧରି ଜେଲରେ ଥିବା ଅନେକ ଅଭିଯୁକ୍ତ ଏବେ ଦୋଷମୁକ୍ତ ହୋଇ ଜେଲରୁ ବାହାରିବେ। ସେହିପରି ଆଉ କେତେକ ମାମଲାରେ ନିମ୍ନ ଅଦାଲତର ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି।

ଓଡ଼ିଶା ହାଇକୋର୍ଟ ଜୁଲାଇ ୨୬ ତାରିଖରେ ନିଜର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଳନ କରିବାକୁ ଯାଉଛି। କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ। ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ଯାଇ ହାଇକୋର୍ଟ ଗୋଟିଏ ଦିନରେ ୭୫ଟି ମାମଲାରେ ରାୟ ପ୍ରକାଶ କରିଛନ୍ତି।

ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ସମ୍ବିଧାନ ଦିବସ ପାଳନ ଅବସରରେ ଦେଶରେ ଫୌଜଦାରୀ ମାମଲାଗୁଡ଼ିକର ନିର୍ଦ୍ଧାରିତ ସମୟ ମଧ୍ୟରେ ଫଏସଲା ହେଉ ନଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ଏଥିପାଇଁ ଅନେକ ନିର୍ଦୋଷ ବ୍ୟକ୍ତି ଜେଲରେ ବନ୍ଦୀ ହୋଇରହୁଥିବାରୁ ମାମଲାଗୁଡ଼ିକର ଶୀଘ୍ର ଶୁଣାଣି ପାଇଁ ସେ ଅପିଲ କରିଥିଲେ।

Tags: #OdishaHighcourt #CriminalCases #HighcourtVerdict #Judiciary #Odisha

 

Comment