ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁରରେ ହିଂସା ଥମିବାର ନାଁ ନେଉନି। କୁକି ଓ ମୈତେଇ ସମୁଦାୟ ମଧ୍ୟରେ ହିଂସା ପୁଣି ଉଗ୍ର ରୂପ ନେଇଛି। ଗୁରୁବାର ରାତିରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗ ଅଞ୍ଚଳରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏହି ସମୟରେ ଦୁର୍ବୃତ୍ତମାନେ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି।

ମୋଇରାଙ୍ଗରେ ଗୁରୁବାର ରାତିରେ ଅନେକ ଲୋକ ଆସି ଗୁଳି ଚଳାଇଥିଲେ। ଏହାପରେ ସେ ଅଞ୍ଚଳର ଲୋକମାନେ ଭୟରେ ସେମାନଙ୍କ ଘର ଛାଡ଼ି ଚାଲିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୬ଟି ଘର ଜଳି ଯାଇଥିବା ଦେଖିବାକୁ ମିଳିଛି।

ହିଂସା ପରେ ଉକ୍ତ ଅଞ୍ଚଳର ଲୋକମାନେ ଜିଲ୍ଲାରେ ଥିବା ସୁରକ୍ଷା କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ଏବେ ମୋଇରାଙ୍ଗରେ ସ୍ଥିତ ସମ୍ବେଦନଶୀଳ ରହିଛି।

ଅନ୍ୟପଟେ ଏବେ ମଣିପୁରରେ ଭାଇରାଲ୍‌ ଭିଡିଓ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ମଣିପୁରରେ ହିଂସା ଓ ଷଡ଼ଯନ୍ତ୍ର ଅଭିଯୋଗରେ ସିବିଆଇ ପକ୍ଷରୁ ୬ ଏଫଆଇଆର ରୁଜୁ କରାଯାଇଛି। ସିବିଆଇ ଏହି ମାମଲାର ଯାଞ୍ଚ କରି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବ।

ସେହିପରି ମଣିପୁରରେ ଭାଇରାଲ୍‌ ଭିଡିଓ ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଯେଉଁ ବ୍ୟକ୍ତି ଭିଡିଓ ରେକର୍ଡ କରିଥିଲେ ଉଭୟ ଗିରଫ ହୋଇସାରିଛନ୍ତି। ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।

ମଣିପୁରରେ ହିଂସା ଏବେ ୮୬ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଅନେକ ଧନଜୀବନ ନଷ୍ଟ ହୋଇଛି। ଏ ଯାଏଁ ହିଂସାରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଏଥିରେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅନ୍ୟପଟେ ହିଂସା ରୋକିବା ପାଇଁ ମଣିପୁରରେ ୩୫ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏଥିରେ ଭାରତୀୟ ସେନା, ସିଆରପିଏଫର ଯବାନ ସାମିଲ ଅଛନ୍ତି। ଏହାଛଡ଼ା କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗରେ ‌କୁକି ଏବଂ ମୈତେଇ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିଛନ୍ତି।

Tags: #ManipurViolence #CommunityConflict #Manipur #India

 

Comment