ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ‘ଭୁବନେଶ୍ଵର ଜିଲ୍ଲା ଗଠନ ସଂଘ’ ପକ୍ଷରୁ ଏହି ସ୍ମାରକପତ୍ର ଦିଆଯାଇଛି। ଏନେଇ ଶୁକ୍ରବାର ସଂଘ ପକ୍ଷରୁ ଭୁବନେଶ୍ଵର ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଭାରତର ଅନ୍ୟ ରାଜ୍ୟର ରାଜଧାନୀ ଭଳି ଭୁବନେଶ୍ୱରକୁ ମଧ୍ୟ ଜିଲ୍ଲା କରିବାର ଯଥାର୍ଥତା ରହିଛି ବୋଲି ସଂଘ ପକ୍ଷରୁ ଏଠାରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

୧୯୯୩ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଶାର ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରାଯାଇଥିଲା। ସେତେବେଳେ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବା ପାଇଁ ପ୍ରସ୍ତାବ ରହିଥିଲେ ମଧ୍ୟ ଏହା ହୋଇପାରି ନଥିଲା। ଏବେ ଦୀର୍ଘ ୩୦ ବର୍ଷ ପରେ ସେହି ପ୍ରସ୍ତାବ ଅଟକି ରହିଥିବା ‘ଭୁବନେଶ୍ଵର ଜିଲ୍ଲା ଗଠନ ସଂଘ’ ପକ୍ଷରୁ କୁହାଯାଇଛି।

“୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଭୁବନେଶ୍ଵର‌ର ଜନସଂଖ୍ୟା ୧୫ ଲକ୍ଷ ଥିବାବେଳେ ଏବେ ଏହା ୨୨ ଲକ୍ଷରୁ ଅଧିକ ହେଲାଣି। ଲୋକସଂଖ୍ୟା ବଢ଼ିବା ସହ ସେହି ଅନୁସାରେ ଜନସାଧାରଣଙ୍କୁ ସରକାରୀ ସେବା ଯୋଗାଇବାରେ ସମସ୍ୟା ଉପୁଜିଛି। ଏହାଛଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋର୍ଦ୍ଧାରେ ରହିଥିବାରୁ ଲୋକଙ୍କୁ ବହୁତ ଅସୁବିଧା ହେଉଛି। ଏହି ସବୁ ଦିଗକୁ ବିଚାରକରି ଭୁବନେଶ୍ୱରକୁ ତୁରନ୍ତ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦିଆଯାଉ”, କହିଛନ୍ତି ଭୁବନେଶ୍ଵର ଜିଲ୍ଲା ଗଠନ ସଂଘର ସଭାପତି ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ।

“ଜଣେ ସାଧାରଣ ଲୋକ କିପରି ବିଭିନ୍ନ ସରକାରୀ କାମ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ଦୃଷ୍ଟିକୁ ଅନୁଧ୍ୟାନ କଲେ ଭୁବନେଶ୍ଵରକୁ ଜିଲ୍ଲା କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଭୁବନେଶ୍ଵର ମହାନଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଧିକାଂଶ ଅଞ୍ଚଳ ଏବେ ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହୁଛି। ଏଭଳି ଅନେକ ସ୍ଥାନ ଜିଲ୍ଲା ସଦର ମହକୁମାଠାରୁ ୫୦ରୁ ୬୦ କିଲୋମିଟର ଦୂରରେ ରହିଛି। ଏଥିପାଇଁ ଲୋକଙ୍କ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି”, କହିଛନ୍ତି ବରିଷ୍ଠ ସାମ୍ବାଦିକ ଅସିତ କୁମାର ମହାନ୍ତି।

ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ପଦ୍ମପୁର ସବଡିଭିଜନକୁ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଥିଲେ। ପଦ୍ମପୁର ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେତୋଟି ଜିଲ୍ଲାର ପ୍ରସ୍ତାବ ଏବେ ବିଚାରାଧୀନ ରହିଛି। ଏଣୁ ବଢ଼ୁଥିବା ଲୋକସଂଖ୍ୟା, ଭୌଗୋଳିକ ସୀମା ଓ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ରୂପେ ଘୋଷଣା କରିବା ପାଇଁ ସଂଘ ଦାବି କରିଛି।

ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ଵର ଜିଲ୍ଲା ଗଠନ ସଂଘର ଉପସଭାପତି ସନ୍ତୋଷ କୁମାର ମହାନ୍ତି, ସଂଗଠନ ସମ୍ପାଦକ ପ୍ରଦୋଷ କୁମାର ପଟ୍ଟନାୟକ, ବରିଷ୍ଠ ଶିକ୍ଷାବିତ ରଜନୀ ରଞ୍ଜନ ଦାସ, ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର କୁମାର ସାମନ୍ତରାୟ ଓ ସାମ୍ବାଦିକ ଦିଲ୍ଲୀପ ଓଝା ପ୍ରମୁଖ ଯୋଗଦେଇଥିଲେ।

Tags: #Bubaneswar #SeparateDistrictDemand #BhubaneswarZillaGathanSangha #Odisha

Comment