ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଦାବିରେ ଭୁବନେଶ୍ଵର ଲୋୟର ପିଏମଜିରେ ବୁଧବାରଠାରୁ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)। ଚାକିରିର ସର୍ତ୍ତାବଳୀ ଏବଂ ପେନସନ ବ୍ୟବସ୍ଥା ଦାବିରେ ୫୦ ହଜାରରୁ ଅଧିକ ସ୍କୁଲ ଶିକ୍ଷକ ଏବଂ କର୍ମଚାରୀ ରାଜସ୍ତା ବସିଛନ୍ତି।

ଓଷ୍ଟାର ଆହ୍ଵାନ କ୍ରମେ ବୁଧବାର ଦିନ ଶିକ୍ଷକ ଏବଂ କର୍ମଚାରୀମାନେ ଏକାଠି ହୋଇ ମାଷ୍ଟରକ୍ୟାଣ୍ଟିନଠାରୁ ବିରାଟ ପଟୁଆରରେ ଆସି ଗାନ୍ଧୀମାର୍ଗରେ ଏକତ୍ରିତ ହେବା ପରେ ପ୍ରତିବାଦ ସଭା କରିଥିଲେ। ସଭାରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅହୋରାତ୍ର ଏହି ଧାରଣା ଜାରି ରହିବ।

“ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ରକ୍ଷା କରୁନାହାନ୍ତି। ଯେତେ ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି। ବାରମ୍ବାର ଆଲୋଚନା ବିଫଳ ହେଉଛି। ତିନି ଦିନ ଧରି ଆହୋରାତ୍ର ଧାରଣା ଦିଆଯିବ। ଏହା ପରେ ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତେବେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବୁ। ଆବଶ୍ୟକ ହେଲେ ରାଜ୍ୟର ସମସ୍ତ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ। ଖୋଲା ଆକାଶ ତଳେ କିମ୍ବା ଗଛମୂଳେ ପିଲାଙ୍କୁ ପାଠ ପଢ଼ାଇବୁ, କିନ୍ତୁ ସ୍କୁଲ ଯିବୁ ନାହିଁ। ଏଥିପାଇଁ ସରକାର ଦାୟୀ ରହିବେ”, କହିଛନ୍ତି ସଂଘର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ।

ଓଷ୍ଟାର ଦାବିଗୁଡ଼ିକ ମଧ୍ୟରେ ନୂତନ ପେନସନ ବଦଳରେ ପୁରାତନ ପେନସନ ବ୍ୟବସ୍ଥା ପ୍ରଚଳନ କରିବା, ସପ୍ତମ ବେତନ କମିଶନ ଲାଗୁ କରିବା, ଅନୁଦାନରୁ ବାଦ ପଡ଼ିଥିବା ବିଦ୍ୟାଳୟଗୁଡ଼ିକୁ ଅନୁଦାନ ଦେବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପେନସନ ବ୍ୟବସ୍ଥା ଓ ଚାକିରି ସର୍ତ୍ତାବଳୀ ଲାଗୁ କରିବା, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀ କରିବା, ୨୦୦୪ରୁ ୨୦୨୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନାସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ କରିବା, ୨୮୦୦, ୨୨୦୦ ଓ ୧୯୦୦ ଗ୍ରେଡ ପେ’ରେ ଥିବା ଅସମାନତା ଦୂର କରିବା ସହ ବିଏବିପିଏଡ, ବିଏସିପିଏଡ ଯୋଗ୍ୟତାଧାରୀ ଶିକ୍ଷକ ଏବଂ ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକମାନଙ୍କୁ ଟିଜି ସ୍କେଲ ପ୍ରଦାନ କରିବା ସହ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ରହିଛି।

ଦାବି ପୂରଣ ନହେଲେ ଆଗାମୀ ଦିନରେ ପୂରାତନ ଛାତ୍ର ତଥା ଅଭିଭାବକଙ୍କୁ ଏକାଠି କରି ଗାଁ ଗାଁରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଓଷ୍ଟା ପକ୍ଷରୁ ଚେତାବନୀ ଦିଆଯାଇଛି।

Tags: #OdishaSecondarySchoolTeachersAssociationStrike #TeachersStrike #Odisha #Bhubaneswar

Comment