ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମ ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ସରିବ। ଏହା ଦ୍ଵାରା ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ଅତ୍ୟାଧୁନିକ ସୁବିଧା ମିଳିପାରିବ। ପରିକ୍ରମା ପ୍ରକଳ୍ପ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ମଙ୍ଗଳବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

“ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମ ଦ୍ରୁତ ଗତିରେ ଚାଲୁଅଛି। ଏହାକୁ ଶୀଘ୍ର ସାରିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଏବେ ପ୍ରକଳ୍ପ ଅଧିନରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇସାରିଛି। ସବୁ କାମ ଠିକରେ ହେଲେ ଅକ୍ଟୋବର ମାସ ସୁଦ୍ଧା ପ୍ରକଳ୍ପ ସରିବ”, କହିଛନ୍ତି ରଞ୍ଜନ କୁମାର ଦାସ।

ସେ ଆହୁରି ମଧ୍ୟ କହିଛନ୍ତି, “ଆଗକୁ ଶ୍ରୀମନ୍ଦିର ପ୍ରଶାସନ କୋଠା ଓ ଏମାର ମଠରେ ୨ଟି ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଏହାସହ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ରାମ୍ପର ବ୍ୟବସ୍ଥା କରାଯିବ। ଏଥିପାଇଁ ଏଏସଆଇର ପରାମର୍ଶ ନିଆଯାଉଛି। ଏହାର କାମ ମଧ୍ୟ ଶୀଘ୍ର ସାରିବାକୁ ଉଦ୍ୟମ କରାଯାଉଛି।”

ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାର ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏଠାରେ ଅବଢ଼ା ଯୋଜନାର ବିଭିନ୍ନ କାମ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରାଯାଇଥିଲା।

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମର (ଓବିସିସି) ଅଧିକାରୀମାନେ ଯୋଗ ଦେଇଥିଲେ।

Tags: #Srimandir #ParikramaProject #SriJagannath #Devotees #Puri #Odisha

Comment