ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଏବେ ଆଉ ଏକ ବଡ଼ ମିଶନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ମାସରେ ଇସ୍ରୋ ପକ୍ଷରୁ ସୂର୍ଯ୍ୟ ଅଭିମୁଖେ ‘ଆଦିତ୍ୟ ଏଲ୍-ୱାନ’ ମିଶନ ଲଞ୍ଚ କରାଯିବ। ଏହା ସୂର୍ଯ୍ୟର ଗଠନ, ଶକ୍ତି ଏବଂ ଅନ୍ୟାନ୍ୟ ଆଭିମୁଖ୍ୟକୁ ଅଧ୍ୟୟନ କରିବ। ଏନେଇ ଗୁରୁବାର ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ସୂଚନା ଦେଇଛନ୍ତି।

“ଚନ୍ଦ୍ରଯାନ-୩ର ସଫଳତା ଆମକୁ ବହୁତ ଉତ୍ସାହିତ କରିଛି। ଏବେ ଇସ୍ରୋ ସୌରମଣ୍ଡଳର ସର୍ବାଧିକ ଉତ୍ତପ୍ତ ନକ୍ଷେତ୍ର ସୂର୍ଯ୍ୟକୁ ଅଧ୍ୟୟନ କରିବା ପାଇଁ ‘ଆଦିତ୍ୟ ଏଲ୍-ୱାନ’ ମିଶନ ଲଞ୍ଚ କରିବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ସବୁକିଛି ଯୋଜନା ଅନୁସାରେ ଚାଲେ ତେବେ ସେପ୍ଟେମ୍ବର ମାସର ପ୍ରଥମ ଭାଗରେ ମିଶନକୁ ଲଞ୍ଚ କରାଯିବ”, କହିଛନ୍ତି ଏସ ସୋମନାଥ।

ଏହି ‘ଆଦିତ୍ୟ ଏଲ୍-ୱାନ’ ମିଶନରେ ମହାକାଶ ଯାନକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବ। ଉତକ୍ଷେପଣ ହେବା ପରେ ଏହା ଇଲିପ୍ଟିକାଲ କକ୍ଷରେ ପୃଥିବାର କିଛି ପରିକ୍ରମା କରିବ। ପରେ ଏହା ସୂର୍ଯ୍ୟର ‘ଏଲ୍-ୱାନ’ ପଏଣ୍ଟକୁ ଯାତ୍ରା କରିବ।

‘ଏଲ୍-ୱାନ’ ପଏଣ୍ଟର ଦୂରତା ପୃଥିବୀରୁ ପ୍ରାୟ ୧୫ ଲକ୍ଷ କିଲୋମିଟର। ‘ଆଦିତ୍ୟ ଏଲ୍-ୱାନ’ ଏହି ପଏଣ୍ଟରେ ଥିବା ଏକ ‘ହାଲୋ ଅର୍ବିଟ’ରେ ସୂର୍ଯ୍ୟ ଚାରିପଟେ ଘୁରିବ। ଏଭଳି ପରିକ୍ରମା କରି ସୂର୍ଯ୍ୟକୁ ଅଧ୍ୟୟନ କରିବ ‘ଆଦିତ୍ୟ ଏଲ୍-ୱାନ’। ‘ଏଲ୍-ୱାନ’ ପଏଣ୍ଟକୁ ଯାତ୍ରା ପାଇଁ ପ୍ରାୟ ୧୨୦ ଦିନ ସମୟ ଲାଗିବ।

ଅନ୍ୟପଟେ ଇସ୍ରୋ ପକ୍ଷରୁ ଗଗନଯାନ ମିଶନ ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି ମିଶନରେ ଭାରତରୁ ପ୍ରଥମଥର ପାଇଁ ଚାରି ଜଣ ମହାକାଶଚାରୀଙ୍କୁ ମହାକାଶକୁ ପ୍ରେରଣ କରାଯିବ। ଏଥିପାଇଁ ମହାକାଶଯାନର ଏବେ ଟେଷ୍ଟିଂ ଜାରି ରହିଛି।

Tags: #ISRO #AdityaL1Mission #StudyofSun #SpaceExploration #India

Comment