ଓଡ଼ିଶାଲାଇଭ୍ ବ୍ୟୁରୋ

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡ଼ୁଆ ବଢିଛି। ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ବୁଧବାର ହାଇକୋର୍ଟ ଖାରଜ କରିଛନ୍ତି। ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଏବେ ତାଙ୍କୁ ଗିରଫ କରାଯାଇପାରେ। ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ଅବଧି ସରିବା ପରେ ସୌରୀନ ଆଗୁଆ ଜାମିନ କରିଥିଲେ।

ସୌରୀନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନକୁ ନେଇ ଅଗଷ୍ଟ ୨୬ ତାରିଖରେ ହାଇକୋର୍ଟରେ ଶୁଣାଣି ହୋଇଥିଲା। ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ପୋଲିଶ ତରଫରୁ କେସ୍ ଡାଏରି ଦାଖଲ କରାଯିବା ସହିତ ତଦନ୍ତର ସ୍ଥିତି ନେଇ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା।

ଏହି ଶୁଣାଣିବେଳେ ପୀଡିତାଙ୍କ ବୟାନର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ରାୟ ସରଂକ୍ଷିତ ରଖିଥିଲେ। ବୁଧବାର ରାୟ ପ୍ରକାଶ ହେବା ସହ ସୌରୀନଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି।

ସୌରୀନ ଭଟ୍ଟ ଜଗତପୁର ସାଇ ବିହାରରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି। ପୀଡ଼ିତା ଯୁବତୀ ଜଣକ ଜଗତପୁର ଥାନାରେ ସୌରୀନଙ୍କ ବିରୋଧରେ ଯୌନ ନିର୍ଯାତନା ଓ ୧୦ ଲକ୍ଷ ଟଙ୍କା ହଡ଼ପ କରିବା ଭଳି ସଙ୍ଗିନ ଅଭିଯୋଗ କରିଥିଲେ। ପରେ ଏହି ମାମଲାକୁ କଟକ ମହିଳା ଥାନାକୁ ପଠାଯାଇଥିଲା।

ଏହି ମାମଲାରେ ସୌରୀନଙ୍କ ବିରୋଧରେ ଆଇପିସିର ୩୭୬, ୪୯୩, ୩୪୧, ୨୯୪, ୪୧୭ ଏବଂ ୫୦୬ ଦଫା ଲାଗିଛି। ଏହାପରେ ଜୁନ ୨୧ରେ କୋଲକାତାର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ପୋଲିସ ଚଢ଼ଉ କରିଥିଲା।

ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରୀନ ଜୁନ ୨୬ ତାରିଖରେ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବାପରେ ସେ ଅଗଷ୍ଟ ୭ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ। ଏବେ ଅଗଷ୍ଟ ୨୬ ତାରିଖରେ ଏହି ଅନ୍ତରୀଣ ସୁରକ୍ଷା ଅବଧି ଶେଷ ହୋଇଛି।

Tags: #SourinBhatt #Singer #MolestationCase #BailPetition #Odisha

LEAVE A REPLY

Please enter your comment!
Please enter your name here