ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଉଦଘାଟିତ ହୋଇଛି ‘ସେଣ୍ଟର ଫର୍ ଗୁଡ୍ ଗଭର୍ନାନ୍ସ ଓଡିଶା’ର ନୂଆ କାର୍ଯ୍ୟାଳୟ। ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଏଠାରେ ବିଭିନ୍ନ ଅନୁସନ୍ଧାନ ଭିତ୍ତିକ ରିସର୍ଚ୍ଚ ପେପର ସବୁକୁ ସଂଗ୍ରହ କରି ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ପ୍ରକାଶିତ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏଥିରୁ ଗୋଟିଏ ପୁସ୍ତକ ଶିମିଳିପାଳ ଅଭୟାରଣ୍ୟ ଉପରେ ଏକାଡେମୀର ଓଏଏସ ଟ୍ରେନିମାନଙ୍କ ଦ୍ଵାରା ପ୍ରସ୍ତୁତ ଲେଖାଯାଇଛି। ସେମାନେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରି ନିଜର ଅଭିଜ୍ଞତା ଉପରେ ଏହି ପୁସ୍ତକ ଲେଖିଛନ୍ତି। ଏହାସହ ଏକାଡେମୀର ନ୍ୟୁଜ୍ ଲେଟର ଏଠାରେ ଉନ୍ମୋଚିତ ହୋଇଥିଲା।

“ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାର ବିକାଶରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅବଦାନ ଅତୁଳନୀୟ। ଏଠାରେ ହେଉଥିବା ଅନୁସନ୍ଧାନ ଏବଂ ଡକ୍ୟୁମେଣ୍ଟେସନ କାର୍ଯ୍ୟ ରାଜ୍ୟରେ ଶାସନର ଗୁଣବତ୍ତା ବଢ଼ାଇବାରେ ସହାୟକ ହେଉଛି। ସରକାରୀ କର୍ମଚାରୀଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଏଜେନ୍ସି ସହଭାଗିତା ମାଧ୍ୟମରେ ଏକାଡେମୀ ନିଜର ଦକ୍ଷତା ପ୍ରଦର୍ଶିତ କରିଛି”, କହିଛନ୍ତି ପ୍ରଦୀପ କୁମାର ଜେନା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଏକାଡେମୀରେ ପ୍ରଶାସନିକ ଅଧିକାରୀମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣକୁ ପ୍ରଶଂସା କରିଥିଲେ। ଏହାସହ ଏକାଡେମୀର ଓଏଏସ ଟ୍ରେନିମାନଙ୍କ ପାଇଁ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟ୍ରେନିଂ ମାନୁଆଲ୍ ମଧ୍ୟ ଏଠାରେ ଉନ୍ମୋଚିତ ହୋଇଥିଲା।

“ଓଏଏସ ଟ୍ରେନିମାନଙ୍କ ଉତ୍ତମ ପ୍ରଶିକ୍ଷଣ ପାଇଁ ଏକାଡେମୀର ‘ସେଣ୍ଟର ଫର୍ ଗୁଡ୍ ଗଭର୍ନାନ୍ସ ଓଡିଶା’ ଅନେକ ମାତ୍ରାରେ ସହାୟକ ହେଉଛି। ସେମାନଙ୍କ ଉତ୍ତମ ପ୍ରଶିକ୍ଷଣ ପାଇଁ ଏକାଡେମୀ ପକ୍ଷରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଆଡମିନିଷ୍ଟ୍ରେସନ, ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ, ଚଣ୍ଡିଗଡ଼ ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଆଡମିନିଷ୍ଟ୍ରେସନ ସହ ଏମଓୟୁ ସ୍ଵାକ୍ଷରିତ ହୋଇଛି। ଓଡ଼ିଶାର ଭବିଷ୍ୟତର ପ୍ରଶାସନିକ ଅଧିକାରୀଙ୍କୁ ଦକ୍ଷ କରିବା ପାଇଁ ଏକାଡେମୀ ସବୁ ପ୍ରକାର ପଦକ୍ଷେପ ନେଉଛି”, କହିଛନ୍ତି ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦେଶକ ରାଜ କୁମାର ଶର୍ମା।

ଏକାଡେମୀର ‘ସେଣ୍ଟର ଫର୍ ଗୁଡ୍ ଗଭର୍ନାନ୍ସ ଓଡିଶା’କୁ ପୂର୍ବରୁ ‘ସେଣ୍ଟର ଅଫ୍ ଏକ୍ସେଲେନ୍ସ’ କୁହାଯାଉଥିଲା। ଏଠାରେ ଥିବା ରିସର୍ଚ୍ଚ ପେପରଗୁଡ଼ିକୁ ନେଇ ଟ୍ରେନିମାନେ ନିଜର ଅଧ୍ୟୟନରେ ବ୍ୟବହାର କରିଥାନ୍ତି।

ଏହି ଉଦଘଟନୀ କାର୍ଯ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପମହାନିର୍ଦେଶକ ଡକ୍ଟର ପି କେ ମିଶ୍ର, ଅତିରିକ୍ତ ନିର୍ଦେଶକ ଆରାଧନା ଦାସ ଓ ଅତିରିକ୍ତ କମିଶନର ଡକ୍ଟର ଏଚ ବି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Tags: #GopabandhuAcademyofAdministration #CenterforGoodGovernance #Bhubaneswar #Odisha

 

Comment