ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟାଙ୍କିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବିଶ୍ଵବ୍ୟାପୀ ପ୍ରଶଂସା।

ବିଶ୍ଵରେ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାର ଖ୍ୟାତି ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ୟାଙ୍କିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ୍ ଫାଇନାନ୍ସ ପତ୍ରିକାର କେନ୍ଦ୍ରୀୟ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୩ରେ ସର୍ବୋଚ୍ଚ ‘ଏ+’ ରେଟିଂ ପ୍ରଦାନ କରାଯାଇଛି। ‘ଏ+’ ଗ୍ରେଡ୍‌ରେ କେବଳ ଭାରତ, ସ୍ଵିଜରଲ୍ୟାଣ୍ଡ ଓ ଭିଏତନାମର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ନାମ ଥିବାବେଳେ ଏଥିରେ ଶକ୍ତିକାନ୍ତଙ୍କ ନାମ ଶୀର୍ଷରେ ରହିଛି।

ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାଦର ସ୍ଥିରତା ଓ ସୁଧହାର ପରିଚାଳନାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଶକ୍ତିକାନ୍ତ ଦାସଙ୍କୁ ‘ଏ+’ ରେଟିଂ ମିଳିଛି। କରୋନା ମହାମାରୀ, ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଭଳି ବଡ଼ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟର ସଫଳତାର ସହ ମୁକାବିଲା କରିଥିବାରୁ ଶକ୍ତିକାନ୍ତ ଦାସଙ୍କୁ ବିଶ୍ଵବ୍ୟାପୀ ପ୍ରଶଂସା କରାଯାଉଛି।

ଦେଶରେ ଦରଦାମ୍‌ ନିୟନ୍ତ୍ରଣ କରିବା ଲାଗି ସୁଧହାର ବୃଦ୍ଧି ଭଳି ପଦକ୍ଷେପ ଗ୍ରହଣ କରିଥିଲେ ଶକ୍ତିକାନ୍ତ ଦାସ। ଏହା ଦ୍ଵାରା ଭାରତରେ ଦରଦାମ ସ୍ଥିତିରେ ସୁଧାର ଆସିଥିବା ଗ୍ଲୋବାଲ୍ ଫାଇନାନ୍ସ ରିପୋର୍ଟରେ କୁହାଯାଇଛି।

ଗ୍ଲୋବାଲ୍ ଫାଇନାନ୍ସ ରିପୋର୍ଟ କାର୍ଡର ‘ଏ’ ରେଟିଂରେ ବ୍ରାଜିଲ, ଇସ୍ରାଏଲ, ମରିସସ, ନ୍ୟୁଜିଲ୍ୟାଣ୍ଡ, ପାରାଗୁଏ, ପେରୁ, ତାଇୱାନ ଓ ଉରୁଗୁଏର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ନାମ ରହିଛି। ସେହିପରି କଲମ୍ବିଆ, ଡୋମିନିକାନ ରିପବ୍ଲିକ, ଆଇସଲ୍ୟାଣ୍ଡ, ମେକ୍ସିକୋ, ମରକୋ, ନରୱେ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କୁ ‘ଏ ମାଇନସ୍‌’ ରେଟିଂ ଦିଆଯାଇଛି।

ଗ୍ଲୋବାଲ୍ ଫାଇନାନ୍ସ ହେଉଛି ଆମେରିକାର ଏକ ଅର୍ଥନୀତି ଭିତ୍ତିକ ପତ୍ରିକା, ଯାହା ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିଲା। ୧୯୯୪ ମସିହା ପରଠାରୁ ପ୍ରତିବର୍ଷ ଏହା ବିଶ୍ଵର ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କକୁ ନେଇ ରିପୋର୍ଟ କାର୍ଡ ଜାରି କରିଥାଏ। ଏହା ୧୦୧ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ କାର୍ଯ୍ୟକୁ ନେଇ କରି ସେମାନଙ୍କୁ ‌ରେଟିଂ ପ୍ରଦାନ କରିଆସୁଛି।

Tags: #ShaktikantDas #CentralBanker #GlobalRating #GlobalFinance #India

 

Comment