ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭାରତରେ ଆସିଲା ୟୁପିଆଇ ଏଟିଏମ୍‌
  • କ୍ୟୁଆର୍‌ କୋଡ୍ ସ୍କାନ କରି ଉଠାଇ ହେବ ଟଙ୍କା
  • ଦରକାର ପଡ଼ିବନି ଡେବିଟ କିମ୍ବା କ୍ରେଡିଟ କାର୍ଡ  

ଭାରତରେ ଲଞ୍ଚ ହୋଇଛି ପ୍ରଥମ ୟୁପିଆଇ ଏଟିଏମ୍‌। ଏଥିରୁ ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର ନକରି ଟଙ୍କା ଉଠାଇ ହେବ। ଗ୍ରାହକମାନେ କ୍ୟୁଆର୍‌ କୋଡ୍ ସ୍କାନ କରି ଏହି ଏଟିଏମରୁ ଟଙ୍କା ଉଠାଇପାରିବେ। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଏଟିଏମଟିକୁ ଲଞ୍ଚ କରାଯାଇଛି।

ଏନପିସିଆଇ ଜାପାନର କମ୍ପାନି ହିଟାଚି ପେମେଣ୍ଟ ସର୍ଭିସେସର ସହଯୋଗରେ ଏହି ୟୁପିଆଇ ଏଟିଏମକୁ ଲଞ୍ଚ କରିଛି। ମୁମ୍ବାଇରେ ଚାଲୁଥିବା ଗ୍ଲୋବାଲ ଫିନଟେକ ଫେଷ୍ଟରେ ଏହାର ପ୍ରଦର୍ଶନ କରାଯାଇଥିଲା।

ୟୁପିଆଇ ଏଟିଏମ୍‌ର ସବୁଠୁ ବଡ଼ ଲାଭ ହେଉଛି ଯେକୌଣସି କମ୍ପାନିର ୟୁପିଆଇ ଆପକୁ ବ୍ୟବହାର କରି ଏଥିରୁ ଟଙ୍କା ଉଠାଇହେବ। ଗୋଟିଏ ଥରରେ ୧୦ ହଜାର ଟଙ୍କା ଉଠାଇହେବ। ଏଥିପାଇଁ କୌଣସି ଅତିରିକ୍ତ ଦେୟ ଲାଗିବ ନାହିଁ।

ଏବେ ୟୁପିଆଇ ଏଟିଏମକୁ ଲଞ୍ଚ କରାଯାଇଥିଲେ ମଧ୍ୟ ଏହା ସରା ଦେଶରେ କେବେଠୁ କାର୍ଯ୍ୟକାରୀ ହେବ ସେ ନେଇ ଏନପିସିଆଇ ପକ୍ଷରୁ ଘୋଷଣା କରାଯିବ। ଏହାସହ ଦିନକୁ ଏଥିରୁ କେତେ ଟଙ୍କା ଉଠାଇ ହେବ ସେ ବିଷୟରେ ମଧ୍ୟ ଆଗକୁ ସୂଚନା ଦିଆଯିବ।

କେମିତି କରିବେ ବ୍ୟବହାର

  • ପ୍ରଥମେ କେତେ ଟଙ୍କା ଉଠାଇବେ ତାହା ୟୁପିଆଇ ଏଟିଏମରେ ସିଲେକ୍ଟ କରନ୍ତୁ
  • ଏଟିଏମରେ ଡିସପ୍ଲେ ହେଉଥିବା କ୍ୟୁଆର୍‌ କୋଡକୁ ନିଜ ୟୁପିଆଇ ଆପ ଦ୍ଵାରା ସ୍କାନ୍ କରନ୍ତୁ
  • କୋଡ ସ୍କାନ୍ ହେବାପରେ ୟୁପିଆଇ ଆପରେ ନିଜର ସିକ୍ୟୁରିଟି ପିନ ଦିଅନ୍ତୁ
  • ପିନ ଭ୍ୟଲିଡେଟ ହେବାପରେ ଏଟିଏମରୁ ଟଙ୍କା ବାହାରିବ

ଏହାପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଦେଶରେ କାର୍ଡଲେସ ଟଙ୍କା ଉଠାଣର ବ୍ୟବସ୍ଥା ଅଣାଯାଇଛି। ଏସବିଆଇର ୟୋନୋ ଆପ୍ ମାଧ୍ୟମରେ ମଧ୍ୟ ଏଟିଏମରୁ ବିନା କାର୍ଡରେ ଟଙ୍କା ଉଠାଇ ହେଉଛି। ଏହା ୟୁପିଆଇ ନୁହେଁ ବରଂ ନେଟ ବ୍ୟାଙ୍କିଂ ଟେକ୍ନୋଲୋଜି ଉପରେ ଆଧାରିତ। ଏହି ସୁବିଧା କେବଳ ଏସବିଆଇ ଗ୍ରାହକମାନଙ୍କ ପାଇଁ ସୀମିତ ଥିବାବେଳେ ଏବେ ୟୁପିଆଇ ଏଟିଏମକୁ ସବୁ ଲୋକ ବ୍ୟବହାର କରିପାରିବେ।

Tags: #UPIATM #CardlessCash #NPCI #UPITransaction #India

Comment