ଓଡ଼ିଶାଲାଇଭ୍ ବ୍ୟୁରୋ
ସିଲଭର ସିଟି କଟକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ।
ଲୋକାର୍ପିତ ହେଲା କଟକ ଖାନନଗରସ୍ଥିତ ନେତାଜୀ ବସ୍ ଟର୍ମିନାଲ। ଶନିବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଲୋକାର୍ପିତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଉଦଘାଟନ କରିବା ପରେ ନେତାଜୀ ବସ୍ ଟର୍ମିନାଲରୁ ପ୍ରଥମ କରି ପୁରୀ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାକୁ ଗଡ଼ିଥିଲା ଯାତ୍ରୀବାହୀ ବସ୍।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “କଟକ ସହରକୁ ଗମନାଗମନ ସହ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାରେ ବଡ଼ ରୂପାନ୍ତରଣ ହେବାକୁ ଯାଉଛି। କଟକ ନେତାଜୀ ବସ୍ ଟର୍ମିନାଲ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ମୋର ଆଶା।”
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଟକକୁ ପୋଲିସ୍ ଛାଉଣୀ କରାଯାଇଥିଲା। କଟକ ସନସାଇନ ପଡ଼ିଆ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବତରଣ କରିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ବସ୍ ଟର୍ମିନାଲକୁ ନିଆଯାଇଥିଲା। ଏହା ପରେ ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ।
ଉଦଘାଟନୀ ଉତ୍ସବରେ କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫-ଟି ସଚିବ ଭିକେ ପାଣ୍ଡିଆନ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିଶନର ନିଖିଲ ପବନ କଲ୍ୟାଣ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି) ରେ ଡ୍ରାଇଭର ଏବଂ ବସର ସହାୟକମାନଙ୍କ ଲାଗି ବିଶ୍ରାମ ଗୃହ, ଆହାର କେନ୍ଦ୍ର, ମିଶନ ଶକ୍ତି କାଫେ ଏବଂ ବସ୍ ରହଣି ସ୍ଥାନ ରହିଛି। ଯାତ୍ରୀମାନଙ୍କ ପାଇଁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି। ଏହି ଟର୍ମିନାଲରେ ବସ୍ ବେ’ ସହ ସମସ୍ତ ଅତ୍ୟାଧୁନିକ ସୁବିଧା କରାଯାଇଛି।
ଏହି ବସ୍ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ୍ ରହିବାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ‘ମୋ ବସ୍’ ସହ ମୋଟ ୧୯୧ଟି ବସ୍ ରହିବା ପାଇଁ ମଧ୍ୟ ସୁବିଧା ରହିଛି।
ଗତ ୨୦୨୧ ମସିହା ଜାନୁଆରି ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଏହି ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Tags: #Netajibusterminal #inauguration #cmodisha #naveenpatnaik #odisha #cuttack