ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୃଥିବାର ସମସ୍ତ ୫ଟି କକ୍ଷପଥକୁ ପାର୍ କଲା ‘ଆଦିତ୍ୟ ଏଲ୍-ୱାନ’
  • ଏବେ ‘ଏଲ୍-ୱାନ’ ପଏଣ୍ଟ ଅଭିମୁଖେ ଯାତ୍ରା କରୁଛି ସ୍ପେସକ୍ରାଫ୍ଟ
  • ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ୧୧୦ ଦିନର ଅପେକ୍ଷା  

‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ ପୃଥିବୀର କକ୍ଷ ଛାଡ଼ି ଏଲ ୱାନ ପଏଣ୍ଟକୁ ଯାତ୍ରା ଆରମ୍ଭ କରିଛି। ଆଉ ପ୍ରାୟ ୧୧୦ ଦିନର ଯାତ୍ରା ପରେ ଏହା ‘ଏଲ୍-ୱାନ’ ପଏଣ୍ଟର କକ୍ଷପଥରେ ପ୍ରବେଶ କରିବ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି।

‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ ସୋମବାର ରାତି ୨ଟା ବେଳେ ପୃଥିବୀର ପଞ୍ଚମ କକ୍ଷପଥ ପାର କରିଥିଲା। ଏହପରେ ସ୍ପେସକ୍ରାଫ୍ଟକୁ ପୃଥିବୀର ମାଧ୍ୟାକର୍ଷଣ ପରିସରରୁ ବାହାରକୁ ଯିବାପାଇଁ ଟ୍ରାନ୍ସ ଏଲ୍-ୱାନ ଇନ୍ସର୍ସନ୍ ପ୍ରକ୍ରିୟା ହୋଇଥିଲା।

ବେଙ୍ଗାଳୁରୁସ୍ଥିତ ଇସ୍ରୋର ଆଇଏସଟିଆରଏସି କେନ୍ଦ୍ରରୁ ଏହି ଟ୍ରାନ୍ସ ଏଲ୍-ୱାନ ଇନ୍ସର୍ସନ୍ ପ୍ରକ୍ରିୟା ପାଇଁ ନିର୍ଦେଶ ଦିଆଯାଇଥିଲା। ‘ଆଦିତ୍ୟ ଏଲ୍-ୱାନ’ ପୃଥିବୀର କକ୍ଷରୁ ବାହାରକୁ ଯିବାବେଳେ ଏହାକୁ ପୋର୍ଟ ବ୍ଲେୟାର, ବେଙ୍ଗାଳୁରୁ ଏବଂ ମରିଶସରେ ଥିବା ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନରୁ ଟ୍ରାକ୍ କରାଯାଇଥିଲା।

ଅନ୍ୟପଟେ ଆଦିତ୍ୟ ଏଲ୍-ୱାନ ସ୍ପେସକ୍ରାଫ୍ଟରେ ଲାଗିଥିବା ବିଭିନ୍ନ ସେନ୍ସର ଏବେଠୁ କାର୍ଯ୍ୟ କରିବା ଆରମ୍ଭ କରିଛି। ଏହା ପୃଥିବୀଠାରୁ ୫୦ ହଜାର କିଲୋମିଟରରୁ ଅଧିକ ଦୂରରେ ସୂର୍ଯ୍ୟର ସୁପ୍ରା-ଥର୍ମାଲ୍ ଏବଂ ଶକ୍ତିଶାଳୀ ଆୟନ ଓ ଇଲେକ୍ଟ୍ରନର ତଥ୍ୟ ସଂଗ୍ରହ କରିଛି।

ଇସ୍ରୋର ସୂଚନା ଅନୁସାରେ ଆଦିତ୍ୟ ଏଲ୍-ୱାନ ପ୍ରାୟ ୧୧୦ ଦିନ ମଧ୍ୟରେ ଏଲ୍-ୱାନ ପଏଣ୍ଟରେ ପହଞ୍ଚିବ। ଏହାପରେ ସେଠାରେ ଏକ ସ୍ୱତନ୍ତ୍ର ମେନୁଭର୍ କରି ଏହା ଏଲ୍-ୱାନର କକ୍ଷପଥରେ ପ୍ରବେଶ କରିବ।

‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟକୁ ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମେ ୫ଟି କକ୍ଷପଥରେ ପୃଥିବୀ ଚାରିପଟେ ଘୂରିବାପରେ ଏବେ ଏଲ୍-ୱାନ ପଏଣ୍ଟ ଅଭିମୁଖେ ଯାଇଛି।

Tags: #AdityaL1 #SolarMission #SpaceExploration #ISRO #India

Comment