ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ସଂସଦ ଓ ସବୁ ବିଧାନସଭାର ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।

ଆଗକୁ ଭାରତର ସଂସଦ ଓ ସବୁ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବ। ଏନେଇ ମଙ୍ଗଳବାର ନୂଆ ସଂସଦ ଭବନର ଲୋକସଭାରେ ଚାଲିଥିବା ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଛି। ଏହାର ନାମ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ରଖାଯାଇଛି।

ନୂଆ ସଂସଦ ଭବନରେ ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏହି ମହିଳା ସଂରକ୍ଷଣ ବିଲ୍ ବାବଦରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଏହାପରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲଟିକୁ ଲୋକସଭାରେ ଉପସ୍ଥାପିତ କରିଥିଲେ।

“ନୂଆ ସଂସଦର ଏହି ପ୍ରଥମ ଅଧିବେଶନରେ ଆଜି ଆମେ ୧୨୮ତମ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କରିବାକୁ ଯାଉଛୁ। ଏହା ମାଧ୍ୟମରେ ମହିଳାମାନଙ୍କୁ ସଂସଦ ଏବଂ ବିଧାନସଭାର ଆସନ ପାଇଁ ସଂରକ୍ଷଣ ମିଳିବ। ଏହା ଦେଶରେ ମହିଳା ସଶକ୍ତିକରଣକୁ ଆହୁରି ବ୍ୟାପକ କରିବ। ମହିଳା ସଂରକ୍ଷଣ ବିଲ୍ ସଂସଦରେ ଆଗରୁ ମଧ୍ୟ ଉପସ୍ଥାପିତ ହୋଇଥିଲା, ହେଲେ ଏହା କେବେ ବି ପାରିତ ହୋଇନଥିଲା। ଏବେ ଆମ ସରକାର ଏହି ଐତିହାସିକ କାମକୁ ସାକାର କରିବାକୁ ଯାଉଛନ୍ତି”, କହିଛନ୍ତି ନରେନ୍ଦ୍ର ମୋଦୀ।

ମହିଳା ସଂରକ୍ଷଣ ବିଲକୁ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ଅନୁମୋଦନ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।। ଏବେ ବୁଧବାର ଲୋକସଭାରେ ବିଲ୍ ଉପରେ ଆଲୋଚନା କରାଯିବ ଏବଂ ଏହାକୁ ରାଜ୍ୟସଭାରେ ଆଗତ କରାଯିବ।

ଏହି ବିଲ୍ ପାରିତ ହେଲେ ଦେଶର ସଂସଦ ଓ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳା ସଦସ୍ୟଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବା ବାଧ୍ୟତାମୂଳକ ହେବ। ଏହାସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ସଂରକ୍ଷିତ ଥିବା ଆସନରେ ମଧ୍ୟ ମହିଳାଙ୍କୁ ଆଶାୟୀଙ୍କୁ ସଂରକ୍ଷଣ ମିଳିବ।

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଗତ ରବିବାର ହୋଇଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଉଠିଥିଲା। ବିଜେଡି, ବିଆରଏସ ଓ ଅନ୍ୟ କିଛି ରାଜନୈତିକ ଦଳର ନେତା ସଂସଦରେ ଏହି ବିଲ୍ ଆଣିବାକୁ ପ୍ରସ୍ତାବ ଦେଇଥିଲେ।

ବର୍ତ୍ତମାନ ଲୋକସଭାରେ ୭୮ ଜଣ ମହିଳା ସାଂସଦ ଅଛନ୍ତି। ଲୋକସଭାର ମୋଟ ୫୪୩ଟି ଆସନକୁ ନଜର ଦେଲେ ଏଠାରେ ମହିଳାଙ୍କ ଭାଗ ୧୫ ପ୍ରତିଶତରୁ କମ୍ ରହିଛି। ସେହିପରି ଅନେକ ରାଜ୍ୟର ବିଧାନସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୦ ପ୍ରତିଶତରୁ ବି କମ୍। ଏହି ବିଲ୍ ପାରିତ ହେଲେ ସଂସଦ ଓ ବିଧାନସଭାକୁ ଅଧିକ ମହିଳା ସଦସ୍ୟ ନିର୍ବାଚିତ ହୋଇଆସିବାର ବାଟ ଫିଟିବ।

Tags: #WomenReservationBill #NewParliament #SpecialSession #ConstitutionalAmendment #India

Comment