ଓଡ଼ିଶାଲାଇଭ୍ ବ୍ୟୁରୋ

  • ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍‌
  • ବିଲକୁ ମିଳିଲା ୪୫୪ ଜଣ ସାଂସଦଙ୍କ ସମର୍ଥନ
  • ଆସନ୍ତାକାଲି ବିଲଟି ରାଜ୍ୟସଭାରେ ଆଗତ ହେବ

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ ହୋଇଛି। ବୁଧବାର ଭୋଟିଂ ମଧ୍ୟମରେ ଏହି ବିଲକୁ ପାସ କରାଯାଇଛି। ଲୋକସଭାର ୪୫୪ ଜଣ ସାଂସଦ ବିଲକୁ ସମର୍ଥନ କରିଥିବାବେଳେ ୨ ଜଣ ଏହାର ବିରୋଧରେ ଭୋଟ ଦେଇଥିଲେ।

ବୁଧବାର ମହିଳା ସଂରକ୍ଷଣ ବିଲ୍‌ ବା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ନେଇ ଲୋକସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା। କଂଗ୍ରେସ, ଟିଏମସି, ସମାଜବାଦୀ ପାର୍ଟି, ଜେଡିୟୁ, ଡିଏମକେ ସମେତ ଅନେକ ବିରୋଧୀ ଦଳ ଏହି ବିଲ୍ ସପକ୍ଷରେ ନିଜର ମତ ରଖିଥିଲେ। ଲୋକସଭାର ଦୁଇ ତୃତୀୟାଂଶରୁ ଅଧିକ ସାଂସଦ ବିଲକୁ ସମର୍ଥନ କରିଥିଲେ।

ତେବେ କଂଗ୍ରେସ ଓ ଅନ୍ୟ କିଛି ଦଳ ଜାତିଭିତ୍ତିକ ଜନଗଣନା ଆଧାରରେ ମହିଳାମାନଙ୍କ ପାଇଁ ଏହି ବିଲ୍ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସି ଆଧାରରେ ମହିଳାଙ୍କୁ ସଂରକ୍ଷଣ ଦେବା ଲାଗି ଅନେକ ଦଳ ମତ ରଖିଥିଲେ। ହେଲେ କେନ୍ଦ୍ର ସରକାର ଏଥିରେ ସହମତ ହୋଇନଥିଲେ।

ଅନ୍ୟପଟେ ଏଆଇଏମଆଇଏମ ପାର୍ଟି ମୁଖ୍ୟ ଅସଦଉଦ୍ଦିନ ଓୱେସି ଏହି ବିଲକୁ ବିରୋଧ କରିଥିଲେ। ମହିଳା ସଂରକ୍ଷଣ ବିଲରେ ମୁସଲିମ ମହିଳାଙ୍କ ପାଇଁ କିଛି ସ୍ଵତନ୍ତ୍ର ପ୍ରବଧାନ ନଥିବାରୁ ସେ ଏହାକୁ ସମର୍ଥନ କରିନଥିଲେ। ସେ ଓ ତାଙ୍କ ଦଳର ଆଉ ଜଣେ ସାଂସଦ ଏହି ବିଲ୍ ବିରୋଧରେ ଭୋଟ ଦେଇଥିଲେ।

ଏହି ବିଲ୍ ମାଧ୍ୟମ ଦେଶର ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ସଦସ୍ୟଙ୍କ ପାଇଁ ୩୩ ପ୍ରତିଶତ ଆସନ ସରଂକ୍ଷିତ ରହିବା ବାଧ୍ୟତାମୂଳକ ହେବ। ଏହା ଦ୍ଵାରା ଦେଶର ରାଜନୀତିରେ ଅଧିକରୁ ଅଧିକ ମହିଳା ଅଂଶଗ୍ରହଣ କରିବା ପାଇଁ ବାଟ ଫିଟିବ।

ଏହି ମହିଳା ସଂରକ୍ଷଣ ବିଲକୁ ଲୋକସଭାରେ ଆଲୋଚନା କରାଯାଇ ପାରିତ କରାଯାଇଥିବାବେଳେ ଗୁରୁବାର ଏହାକୁ ରାଜ୍ୟସଭାରେ ଆଗତ କରାଯିବାର ଯୋଜନା ରହିଛି।

Tags: #WomenReservationBill #Loksabha #Parliament #India

Comment