ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପ୍‌ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ। ଶୁକ୍ରବାର ପଞ୍ଜାବର ମୋହାଲିରେ ଖେଳାଯାଉଛି ସିରିଜର ପ୍ରଥମ ମ୍ୟାଚ। କେ ଏଲ୍ ରାହୁଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ।

ଶୁକ୍ରବାର ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମରେ ଶୁଭମନ ଗିଲ, ଋତୁରାଜ ଗାଏକ୍ୱାଡ୍, ଶ୍ରେୟସ ଅୟର, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖିବାକୁ ମିଳିବ। ସେହିପରି ରବୀନ୍ଦ୍ର ଜଡେଜା, ରବିଚନ୍ଦ୍ରନ ଅଶ୍ଵିନ, ଶାର୍ଦ୍ଦୁଲ୍ ଠାକୁର, ଯଶପ୍ରୀତ ବୁମରା ଓ ମହମ୍ମଦ ଶାମି ମ୍ୟାଚରେ ଦଳର ବୋଲିଂ ଆଟାକ ସମ୍ଭାଳିବେ।

ତେବେ ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏହା ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନକୁ ପରୀକ୍ଷା କରିବାକୁ କୋଚ୍ ରାହୁଲ ଦ୍ରାବିଡଙ୍କୁ ଏକ ମଉକା ଦେବ।

ଅନ୍ୟପଟେ ଅଷ୍ଟ୍ରେଲିଆ ଦଳ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଭାରତ ବିପକ୍ଷ ଦିନିକିଆ ସିରିଜ ଖେଳୁଛି। ଦଳରେ ଡେଭିଡ୍ ୱାର୍ଣ୍ଣର, ସ୍ଟିଭ ସ୍ମିଥ, ମାର୍କସ ଷ୍ଟୋଇନିସ, ଆଡମ ଜାମ୍ପାଙ୍କ ଭଳି ଖେଳାଳି ସାମିଲ ହୋଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତ ୩ଟି ମ୍ୟାଚ ଖେଳିବ। ଶୁକ୍ରବାର ପ୍ରଥମ ମ୍ୟାଚଟି ମୋହାଲିରେ ହେଉଥିବାବେଳେ ରବିବାର ଇନ୍ଦୋରରେ ଦ୍ଵିତୀୟ ଏବଂ ବୁଧବାର ଦିନ ରାଜକୋଟରେ ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ।  ବିଶ୍ଵକପ ପାଖେଇ ଆସୁଥିବାବେଳେ ଏହି ସିରିଜ ଟିମ୍ ଇଣ୍ଡିଆର ପ୍ରସ୍ତୁତିରେ ସହାୟତା କରିବ।

Tags: #India-AustraliaODISeries #OnedayCricket #ICCWorldCup #Sports #BCCI #India

Comment