ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଲିସ୍ତାନ ପ୍ରସଙ୍ଗକୁ ନେଇ ଏବେ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଘନେଇବାରେ ଲାଗିଛି। ଖାଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ହାତ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ଉଭୟ ଦେଶର ସମ୍ପର୍କରେ ଫାଟ ସୃଷ୍ଟି କରିଛି। ଏହାକୁ ନେଇ ଏବେ ଭାରତ ସରକାର ଆକ୍ରାମକ ହୋଇ ଖଲିସ୍ତାନ ସମର୍ଥକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛନ୍ତି।

କେନ୍ଦ୍ର ସରକାର ବିଦେଶରେ ଖାଲିସ୍ତାନ ଆନ୍ଦୋଳନରେ ସାମିଲଥିବା ତଥା ଏହାକୁ ସମର୍ଥନ କରୁଥିବା ପ୍ରବାସୀ ଭାରତୀୟମାନଙ୍କର ଓସିଆଇ (ଓଭରସିଜ ସିଟିଜେନ ଅଫ ଇଣ୍ଡିଆ) କାର୍ଡ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ଉକ୍ତ ଲୋକମାନେ ସିଧାସଳଖ କୌଣସି ଭିସା ବିନା ଭାରତ ଆସିବାକୁ ସୁଯୋଗ ପାଇବେ ନାହିଁ।

ସେହିପରି ଓସିଆଇ କାର୍ଡଧାରୀଙ୍କୁ ଭାରତରୁ ମିଳୁଥିବା ଅର୍ଥରାଶି ଉପରେ କଟକଣା ଲଗାଯିବ। ଏହାସହ ଭାରତରୁ ହାସଲ ହେଉଥିବା ଆୟକର ରିହାତି ଆଉ ମିଳିବ ନାହିଁ। ଆମେରିକା, ବ୍ରିଟେନ, କାନାଡ଼ା ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ରହୁଥିବା ଖାଲିସ୍ତାନ ସମର୍ଥକଙ୍କୁ ଏହା ପ୍ରଭାବିତ କରିବ।

ଅନ୍ୟପଟେ ଭାରତରେ ବିଭିନ୍ନ ଖାଲିସ୍ତାନ ସମର୍ଥକଙ୍କ ବିରୋଧରେ ଏବେ ଏନଆଇଏ (ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି) ତଦନ୍ତ ଆରମ୍ଭ କରିଛି। ଏହି ପ୍ରରିପ୍ରେକ୍ଷୀରେ ଶନିବାର ପ୍ରତିବନ୍ଧିତ ଖାଲିସ୍ତାନ ସଂଗଠନ ‘ଶିଖସ୍ ଫର ଜଷ୍ଟିସ’ର ମୁଖ୍ୟ ଗୁରପତୱନ ସିଂହ ପନ୍ନୁଙ୍କ ପଞ୍ଜାବରେ ଥିବା ସବୁ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି।

ସେହିପରି ଅନ୍ୟ ୧୯ ଜଣ ପଳାତକ ଖାଲିସ୍ତାନ ସମର୍ଥକଙ୍କ ତାଲିକା ପ୍ରସ୍ତୁତ କରିଛି ଏନଆଇଏ। ବିଦେଶରୁ ଭାରତ ବିରୋଧୀ ଗତିବିଧି ଚଲାଉଥିବା ଏହି ଲୋକଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ (ୟୁଏପିଏ) ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର।

Tags: #Khalistan #KhalistanSupporters #OCICard #NRIs #India

Comment