ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏସିଆନ ଗେମ୍ସ ଆଥଲେଟିକ୍ସରେ ଆଉ ଦୁଇ ଭାରତୀୟଙ୍କୁ ସ୍ଵର୍ଣ୍ଣ ପଦକ
  • ୫ ହଜାର ମିଟର ଦୌଡ଼ରେ ଭାରତର ପାରୁଲ ଚୌଧୁରୀ ପ୍ରଥମ
  • ମହିଳା ଜାଭଲିନ ଥ୍ରୋରେ ଅନୁ ରାଣୀଙ୍କୁ ସ୍ଵର୍ଣ୍ଣ

ଚୀନର ହାଙ୍ଗଝୌଉରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ମଙ୍ଗଳବାର ଭାରତକୁ ମିଳିଛି ଆଉ ଦୁଇଟି ସ୍ଵର୍ଣ୍ଣ ପଦକ। ପ୍ରତିଯୋଗିତାର ୫ ହଜାର ମିଟର ଦୌଡ଼ରେ ଭାରତର ପାରୁଲ ଚୌଧୁରୀ ପ୍ରଥମ ସ୍ଥାନରେ ରହି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ମହିଳା ଜାଭଲିନ ଥ୍ରୋରେ ଅନୁ ରାଣୀ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ଏସିଆନ ଗେମ୍ସର ଆଥଲେଟିକ୍ସରେ ହୋଇଥିବା ୫ ହଜାର ମିଟର ଦୌଡ଼କୁ ପାରୁଲ ଚୌଧୁରୀ ୧୫ ମିନିଟ ୧୪.୭୫ ସେକେଣ୍ଡରେ ପୂରା କରିଥିଲେ। ଦୌଡ଼ର ଏକଦମ ଶେଷ ମୂହୁର୍ତ୍ତରେ ସେ ଜାପାନର ଆଥଲେଟ୍ ରିରିକା ହିରୋନକାଙ୍କୁ ପଛରେ ପକାଇ ପ୍ରଥମ ହୋଇଥିଲେ।

୫ ହଜାର ମିଟର ଦୌଡରେ ପାରୁଲ ସ୍ଵର୍ଣ୍ଣ ପଦକ ପାଇଥିବାବେଳେ ରିରିକା ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଅନ୍ୟପଟେ ଏହି ଇଭେଣ୍ଟରେ କାଜାକସ୍ତାନର କ୍ୟାରୋଲିନ କିପକ୍ୟୁରି ବ୍ରୋଞ୍ଜ ପଦକ ପାଇଥିଲେ।

ସେହିପରି ଏହି ଇଭେଣ୍ଟରେ ଖେଳୁଥିବା ଅନ୍ୟତମ ଭାରତୀୟ ଆଥଲେଟ୍ ଅଙ୍କିତା ପଞ୍ଚମ ସ୍ଥାନରେ ରହିଥିଲେ। ଏହା ପୂର୍ବରୁ ପାରୁଲ ଚୌଧୁରୀ ସୋମବାର ହୋଇଥିବା ୩ ହଜାର ମିଟର ଷ୍ଟିପଲ ଚେଜ ଦୌଡ଼ରେ ରୌପ୍ୟ ପଦକ ପାଇଥିଲେ।

ଅନ୍ୟପଟେ ମଙ୍ଗଳବାର ଏସିଆନ ଗେମ୍ସର ଆଥଲେଟିକ୍ସର ପୁରୁଷ ୮୦୦ ମିଟର ଦୌଡ଼ରେ ଭାରତର ଅଫସଲ ମହମ୍ମଦ ରୌପ୍ୟ ପଦକ, ପୁରୁଷ ଡେକାଥେଲନରେ ତେଜସ୍ଵୀନ ଶଙ୍କର ରୌପ୍ୟ ପଦକ ପାଇଛନ୍ତି। ସେହିପରି ପୁରୁଷ ଟ୍ରିପଲ୍ ଜମ୍ପରେ ଭାରତର ପ୍ରବୀଣ ଚିତ୍ରଭେଲ ବ୍ରୋଞ୍ଜ ପଦକ, ମହିଳା ୪୦୦ ମିଟର ହର୍ଡଲ୍ସରେ ଭିଥ୍ୟା ରାମ ରାଜ ବ୍ରୋଞ୍ଜ ପଦକ ପାଇଛନ୍ତି।  

ଏସିଆନ ଗେମ୍ସରେ ଭାରତର ଖେଳାଳିମାନେ ବିଭିନ୍ନ ଇଭେଣ୍ଟରେ ଏ ଯାଏଁ ୧୫ଟି ସ୍ଵର୍ଣ୍ଣ, ୨୬ଟି ରୌପ୍ୟ, ୨୮ଟି ବ୍ରୋଞ୍ଜ ପଦକ ସହ ମୋଟ ୬୯ଟି ପଦକ ହାସଲ କରିଛନ୍ତି।

Tags: #AsianGames #IndianPlayers #Athletics #GoldMedal #Sports #India

Comment