ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସରକାରୀ ଡାକ୍ତରଙ୍କ ଛୁଟି ନେବାକୁ ନେଇ ନୂଆ ଗାଇଡଲାଇନ ଜାରି ହୋଇଛି। ଏବେ କୌଣସି ସରକାରୀ ଛୁଟି ଦିନରେ ଡାକ୍ତରମାନେ କାମ କଲେ ସେମାନଙ୍କୁ ଅନ୍ୟ ଦିନରେ ଛୁଟି ମିଳିବ। ଏନେଇ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦେଶ ଅନୁସାରେ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ (ଓଏମଏଚଏସ) କ୍ୟାଡରର ସବୁ ମେଡିକାଲ ଅଫିସରମାନଙ୍କ କ୍ଷେତ୍ରରେ ଛୁଟିର ଏହି ନୂଆ ନିୟମ ଲାଗୁ ହେବ।

ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟରତ ଡାକ୍ତରମାନେ ଛୁଟି ଦିନରେ କାମ କରିବା ପାଇଁ ସେହି ମାସରେ ସମାନ ସଂଖ୍ୟକ ବିକଳ୍ପ ଛୁଟି ଦିନର ସୁବିଧା ପାଇପାରିବେ।

ତେବେ ଡାକ୍ତରଖାନାରେ ମାନବ ସମ୍ବଳର ଉପଲବ୍ଧତାକୁ ଆଖି ଆଗରେ ରଖାଯାଇ ଅନ୍ୟ ଦିନରେ ଡାକ୍ତରଙ୍କ ଛୁଟି ନିଷ୍ପତ୍ତି ନିଆଯିବ। ଏହାର ଅଧିକାର ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ କିମ୍ବା ଭାରପ୍ରାପ୍ତ ମେଡିକାଲ ଅଫିସରଙ୍କ ପାଖରେ ରହିବ।

ଅନ୍ୟପଟେ ଯେଉଁ ଡାକ୍ତରଖାନାରେ କେବଳ ଜଣେ ଡାକ୍ତର ଥିବେ ସେଠାରେ ହସ୍ପିଟାଲ ଅଧୀକ୍ଷକ ଅନ୍ୟ ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଉପଲବ୍ଧତାକୁ ବିଚାରକୁ ନେଇ ଡାକ୍ତରଙ୍କୁ ବିକଳ୍ପ ଦିନରେ ଛୁଟି ଦେବେ। ତେବେ ବିକଳ୍ପ ଛଟି ଦିନକୁ ଡାକ୍ତରଙ୍କୁ ମିଳୁଥିବା କାଜୁଆଲ ଲିଭ ଏବଂ ଜରୁରୀକାଳୀନ ଛୁଟି ସହିତ ମିଶାଇ ଦିଆଯିବ ନାହିଁ।

ସେହିପରି କୌଣସି ମାସର ବିକଳ୍ପ ଛୁଟିକୁ ପରବର୍ତ୍ତୀ ମାସକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ। କେବଳ ମାସର ଶେଷ ସପ୍ତାହରେ ପଡ଼ିଥିବା ସରକାରୀ ଛୁଟିରେ କାମ କଲେ, ଡାକ୍ତରମାନଙ୍କୁ ଏହାର ବିକଳ୍ପ ଛୁଟି ପରବର୍ତ୍ତୀ ମାସରେ ମିଳିବ।

Tags: #GovtDoctors #LeaveGuideline #CompensatoryLeave #MedicalServices #HFWOdisha

Comment