ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବର୍ଷା ଆରମ୍ଭ ହେଉଣୁ ଡେଙ୍ଗୁର ପ୍ରାଦୁର୍ଭାବ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୯୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଡେଙ୍ଗୁ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ଜ୍ୱରକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏଥିପାଇଁ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ପୌର ପରିଷଦ ତଥା ମହାନଗର ନିଗମ ସହ ସମନ୍ଵୟରେ କାମ କରାଯାଉଛି।

“ଓଡ଼ିଶାରେ ଚଳିତବର୍ଷ ୨୦୨୨ ତୁଳନାରେ ଦୁଇ ଗୁଣା ଲୋକଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି। ଏଥିପାଇଁ ରାଜ୍ୟର ୪୦ଟି କେନ୍ଦ୍ରରେ ଏଲିସା ପଦ୍ଧତିରେ ଟେଷ୍ଟ କରାଯାଉଛି। ଡେଙ୍ଗୁ ଜ୍ୱର ପାଇଁ ପର୍ଯ୍ୟାପ୍ତ ପରିମାଣର ବେଡ୍‌ ଏବଂ ଔଷଧ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ମେଡିକାଲ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏଥିସହ ବ୍ଲଡ୍‌ ଓ ପ୍ଲେଟିଲେଟ ମହଜୁଦ ରଖିବାକୁ ବ୍ଲଡ୍‌ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି”, କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର।

ଅନ୍ୟପଟେ ଭୁବନେଶ୍ଵରରେ ଡେଙ୍ଗୁ ବଢ଼ୁଥିବାରୁ ବିଏମସି ତତ୍ପର ହୋଇଛି। ସହରରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମସି ପକ୍ଷରୁ ବିସ୍ତୃତ ପ୍ଲାନ ପ୍ରସ୍ତୁତ କରାଯାଇଛି। ବିଏମସି ପକ୍ଷରୁ ଡେଙ୍ଗୁ ନିରୀକ୍ଷଣ ପାଇଁ ପ୍ରତି ୱାର୍ଡରେ କମିଟି ଗଠନ କରାଯାଇଛି। କମିଟିର ସଦସ୍ୟଙ୍କୁ ୱାର୍ଡର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରିବାକୁ ନିର୍ଦେଶ ଦିଆଯାଇଛି।

Tags: #Dengue #DengueDetection #ActionPlan #HFWOdisha

 

Comment