ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଓଡ଼ିଶାରେ ଏବେ ଡେଙ୍ଗୁର ପ୍ରକୋପ ଜାରି ରହିଛି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି। କେବଳ ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୌସୁମୀ ଜାରି ରହିଥିବାରୁ ଏବେ ଆହୁରି ମାସେ ଯାଏଁ ଡେଙ୍ଗୁର ପ୍ରଭାବ ରହିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ମୌସୁମୀ ଋତୁ ଆରମ୍ଭ ହେବାରୁ ଏ ଯାଏଁ ୩ ହଜାର ୯୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଏହି ଅବଧି ମଧ୍ୟରେ ୧ ହଜାର ୯୭୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ।

ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୪୦୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଖାସ କରି ଭୁବନେଶ୍ୱରରୁ ଅଧିକ ରୋଗୀ ବାହାରୁଛନ୍ତି। ସ୍ଥିତି ଏତେ ଗମ୍ଭୀର ହେଉଛି ଯେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ମିଳିବାରେ ଅସୁବିଧା ହେଉଛି।

“ଓଡ଼ିଶାରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ୫ ପ୍ରତିଶତ ଗୁରୁତର ଅସୁସ୍ଥ ହେଉଛନ୍ତି। ଚିକିତ୍ସା ପାଇଁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲର ଉପରେ ବହୁତ ଚାପ ରହୁଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରର ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ଵତନ୍ତ୍ର ଡେଙ୍ଗୁ ଟେଷ୍ଟିଂ କେନ୍ଦ୍ର ଓ ରୋଗୀଙ୍କ ପାଇଁ ବେଡର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଅଧିକ ମେଡିକାଲ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେଣୁ ଲୋକମାନେ ଗୋଟିଏ ସ୍ଥାନରେ ଗହଳି ନ କରି ଅନ୍ୟ ସ୍ଥାନକୁ ଯାଇ ଚିକିତ୍ସା କରାଇବା ପାଇଁ ଆମେ ପରାମର୍ଶ ଦେଇଛୁ”, କହିଛନ୍ତି ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ବର୍ଷା ଋତୁରେ ମଶାମାନଙ୍କ ବ୍ରିଡିଂ ବା ପ୍ରଜନନ ହୋଇଥାଏ। ଏଥିପାଇଁ ଏହି ସମୟରେ ଡେଙ୍ଗୁର ପ୍ରାଦୁର୍ଭାବ ଅଧିକ ରହିଥାଏ। ଏବେ ମୌସୁମୀ ସରିନଥିବାରୁ ଅକ୍ଟୋବର ମାସ ଯାଏଁ ଡେଙ୍ଗୁର ପ୍ରଭାବ ରହିବ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।

Tags: #Dengue #AdisMosquito #DengueFever #H&FWDept #Odisha

 

Comment