ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ କାୟ ମେଲାଉଛି ଡେଙ୍ଗୁ। ବିଶେଷ କରି ରାଜଧାନୀ ଭୁବନେଶ୍ଵର ଏବେ ଡେଙ୍ଗୁର ହଟସ୍ପଟ ପାଲଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ଦୁଇ ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶତାଧିକ ଡେଙ୍ଗୁ ରୋଗୀ କେବଳ ଖୋର୍ଦ୍ଧା ଜିଲ୍ଲାରେ ଅଛନ୍ତି।

ସହରାଞ୍ଚଳରେ ଲୋକଙ୍କ ଚଳପ୍ରଚଳ ଅଧିକ ଥିବା କାରଣରୁ ଡେଙ୍ଗୁ ଅଧିକ ବ୍ୟପୁଛି। ଏହାବ୍ୟତୀତ ସହରାଞ୍ଚଳରେ ଲୋକମାନେ ଘରେ ଓ ଛାତ ଉପରେ ଫୁଲ କୁଣ୍ଡ ରଖୁଛନ୍ତି। କେତେକ ସଂସ୍ଥା ପଶୁମାନଙ୍କ ଖାଇବା ଓ ପାଣି ପିଇବା ପାଇଁ ଲୋକଙ୍କ ଘର ଆଗରେ କୁଣ୍ଡ ରଖୁଛନ୍ତି। ଏସବୁ ପ୍ରତି ୭ ଦିନରେ ଥରେ ସଫା ହେବା ଆବଶ୍ୟକ କିନ୍ତୁ ତାହା ହେଉନି। ଏଥିପାଇଁ ଡେଙ୍ଗୁ ମଶା ଅଧିକ ବ୍ୟାପୁଛନ୍ତି।

“ ଓଡ଼ିଶାରେ ଜୁଲାଇରୁ ସେପ୍ଟେମ୍ବର ମାସରେ ଡେଙ୍ଗୁ ବଢ଼ିଥାଏ କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ଓ ପଜିଟିଭ ସଂଖ୍ୟା କମ ରହିଛି। ଡେଙ୍ଗୁ ଜ୍ଵର ଚିହ୍ନଟ ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସମେତେ ୪୦ଟି ସ୍ଥାନରେ ପରୀକ୍ଷା କରାଯାଉଛି। ରୋଗୀଙ୍କ ଚିକିତ୍ସା ପାଇଁ ସବୁ ଡାକ୍ତରଖାନାରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯାଇଛି” କହିଛନ୍ତି ରାଜ୍ୟ ଜନସସ୍ଵାସ୍ଥ୍ୟ ନିର୍ଦେଶକ ଡ଼ାକ୍ତର ନିରଞ୍ଜନ ମିଶ୍ର।

ସୋମବାର ଭୁବନେଶ୍ଵରରୁ ଆଉ ୭ ଜଣ ନୂଆ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁନ୍ଦରପଦାରୁ ୩ଜଣ, ପୋଖରୀପୁଟ ଓ ନୟାପଲ୍ଲୀରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ନୟାପଲ୍ଲୀରେ ସର୍ବାଧିକ ୨୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଡେଙ୍ଗୁ ମୁକାବିଲା ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ଵର ସବୁ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ନମୁନା ସଂଗ୍ରହ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସହରରେ ଏବେ ମଶା ଧୂଆଁ ସ୍ପ୍ରେ କରିବା ପାଇଁ ଯୋଜନା କରାଯାଇଛି। ଗୋଟିଏ ଦିନରେ ୭ଟି ୱାର୍ଡରେ ଧୂଆଁ ସ୍ପ୍ରେ ହେବ।

ମଶା ଧୂଆଁ ସ୍ପ୍ରେ ସହ ଡେଙ୍ଗୁ ମଶା ଲାର୍ଭା ମାରିବା ପାଇଁ ତେଲ ସିଞ୍ଚନ ମଧ୍ୟ କରାଯିବ। ମଶା ଧୂଆଁ ସ୍ପ୍ରେ ଟିମ ସହ ଏହି ଆଣ୍ଟି ଲାର୍ଭା ୱାର୍କର ମଧ୍ୟ ରହିବେ। ସମାନ୍ତରାଳ ଭାବେ ଏହି ଦୁଇଟି ଯାକ କାମ ମଙ୍ଗଳବାରଠାରୁ ଚାଲିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Tags: #Dengue #Fever #DengueDetection #ActionPlan #HFWOdisha

 

Comment