ଓଡ଼ିଶାଲାଇଭ୍ ବ୍ୟୁରୋ

ଡେଙ୍ଗୁ ପରେ ଏବେ ଓଡ଼ିଶାରେ ସ୍କ୍ରବ ଟାଇଫସର ମାମଲା ବଢ଼ି ଚାଲିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବାବେଳେ କିଛି ସ୍ଥାନରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ବୁଧବାର ରାଜ୍ୟରେ ଆଉ ୩ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସ୍କ୍ରବ ଟାଇଫସର ମାମଲା ପଶ୍ଚିମ ଓଡ଼ିଶାରେ ଅଧିକ ଦେଖିବାକୁ ମିଳିଛି। ଗତ ୩ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨୨ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ସମ୍ବଲପୁରର ବୁର୍ଲା ମେଡିକାଲ କଲେଜରେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିବା ୨୫ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି।

ସେହିପରି ଭୁବନେଶ୍ୱରରେ ମଧ୍ୟ ସ୍କ୍ରବ ଟାଇଫସର ୪ଟି ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ଏହି ରୋଗରେ ପୀଡ଼ିତ ହୋଇ ବରଗଡ଼ରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

ସ୍କ୍ରବ ଟାଇଫସ ଟ୍ରମ୍ବୀ କୁଲାଇଟ କୀଟ କାମୁଡ଼ିବ ଦ୍ୱାରା ହୋଇଥାଏ। ଓଡ଼ଶ ଭଳି ଦେଖିବାକୁ ଏହି ପୋକ ବୁଦାଳିଆ ଅଞ୍ଚଳ ତଥା ଘର ମାନଙ୍କରେ ଖଟ ଓ ବେଡସିଟରେ ଦେଖାଯାନ୍ତି। ସ୍କ୍ରବ ଟାଇଫସରେ ଜଣେ ଲୋକଙ୍କୁ ଜ୍ୱର ଲାଗିରହିବା ସହ ଦେହହାତ ବ୍ୟଥା ଏବଂ ମୁଣ୍ଡ ବିନ୍ଧା ଆଦି ଲାଗିରହେ।

ସ୍କ୍ରବ ଟାଇଫସ ହେଲେ ୧୦ ଦିନ ପରେ ଇନଫେକ୍ସନ ଜଣାପଡ଼ିଥାଏ। ତୁରନ୍ତ ଚିକିତ୍ସା କରିବା ଦ୍ୱାରା ଏହା ଭଲ ହୋଇଯାଏ। ନଚେତ ରକ୍ତହୀନତା ଭଳି ସମସ୍ୟାରୁ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଯାଇପାରେ।

ଏହା ରୋଗ କେବଳ ପୋକ କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବାର ସେଭଳି ନିର୍ଦ୍ଦିଷ୍ଟ ସମ୍ଭାବନା ନଥିବା ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ସ୍କ୍ରବ ଟାଇଫସରୁ ରକ୍ଷାପାଇବା ପାଇଁ ଘର ଆଖପାଖ ସଫା ରଖିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି।

Tags: #ScrubTyphus #Fever #Patients #HealthCare #Odisha

Comment