ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲା। ଏଥିପାଇଁ ଗୁଜୁରାଟର ଅହମଦାବାଦର ନରେନ୍ଦ୍ର ଷ୍ଟାଡିୟମରେ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହି ମ୍ୟାଚରେ ଭାରତ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ନିଜ ଅଷ୍ଟମ ବିଜୟ ଲକ୍ଷ୍ୟରେ ରହିଛି। ଭାରତୀୟ କ୍ରିକେଟ ପ୍ରେମୀମାନେ ମ୍ୟାଚକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

କ୍ରିକେଟ ବିଶ୍ଵକପରେ ଭାରତ ଓ ପାକିସ୍ତାନ ଏ ଯାଏଁ ୭ ଥର ମୁକାବିଲା କରିଛନ୍ତି। ୧୯୯୨, ୧୯୯୬, ୨୦୦୩, ୨୦୧୧, ୨୦୧୫ ଓ ୨୦୧୯ ମସିହା ବିଶ୍ଵକପରେ ହୋଇଥିବା ଏହି ସବୁ ମୁକାବିଲାକୁ ଭାରତ ଜିତିଛି। ଏବେ ଶନିବାରର ହାଇ ଭୋଲଟେଜ ମ୍ୟାଚକୁ ନେଇ ଚର୍ଚ୍ଚା ଜାରି ରହିଛି।

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପୂର୍ବ ଦୁଇଟି ମ୍ୟାଚରେ ଯେଉଁ ପ୍ରଦର୍ଶନ କରିଥିଲା ତାହାକୁ ଅହମଦାବାଦରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ। ତେବେ ବିଶ୍ଵକପର ଏହି ମହା ମୁକାବିଲାରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି।

ଅନ୍ୟପଟେ ପାକିସ୍ତାନ ଦଳରେ ବୋଲିଂ ଅଟାକକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ମ୍ୟାଚ ପୂର୍ବରୁ ପାକିସ୍ତାନ ଓ ଭାରତୀୟ ଦଳ ଅହମଦାବାଦରେ ପହଞ୍ଚି ସାରିଛନ୍ତି। ଉଭୟ ଦଳର ଖେଳାଳିଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହାପରେ ସେମାନେ ଷ୍ଟାଡିୟମରେ ଖୁବ ଅଭ୍ୟାସ କରିଛନ୍ତି।

ଶନିବାର ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବଲିଉଡ କଣ୍ଠଶିଳ୍ପୀ ଶଙ୍କର ମହାଦେବନ, ଅରିଜିତ ସିଂହ ଓ ସୁଖୱିନ୍ଦର ସିଂହ ସଙ୍ଗୀତ ପରିବେଷଣ କରିବେ। ଏହାସହ ଅମିତାଭ ବଚ୍ଚନ, ରଜନୀକାନ୍ତ ଓ ସଚିନ ତେନ୍ଦୁଲକରଙ୍କ ଭଳି ସେଲିବ୍ରେଟିମାନେ କାର୍ଯ୍ୟକ୍ରମରେ ଯୋଗ ଦେବେ।

Tags: #ICCCricketWorldCup #IndiavsPakistan #Cricket #NarendraModiStadium #Sports

Comment