ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ଭାରତ-ପାକିସ୍ତାନ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ଗୁଜୁରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଉପଭୋଗ କରିବା ପାଇଁ ଭାରତୀୟ କ୍ରିକେଟ ପ୍ରେମୀମାନେ ଅନାଇ ବସିଛନ୍ତି।

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୂର୍ବ ଦୁଇଟି ମ୍ୟାଚରେ ଯେଉଁ ପ୍ରଦର୍ଶନ କରିଥିଲା ତାହାକୁ ଅହମଦାବାଦରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ। ସେହିପରି ବାବର ଅଜାମଙ୍କ ନେତୃତ୍ୱରେ ପାକିସ୍ତାନ ମଧ୍ୟ ଏହି ମ୍ୟାଚରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରିବ।

ବିଶ୍ୱକପରେ ଭଲ ଅଭିଜ୍ଞତା ରଖିଥିବା ଭାରତୀୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ମହମ୍ମଦ ଶାମି, କେଏଲ ରାହୁଲ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାହଙ୍କ ପାକିସ୍ତାନ ବିପକ୍ଷ ମ୍ୟାଚରେ ପ୍ରଦର୍ଶନ ଉପରେ ସମସ୍ତ ନଜର ରହିବ।

ଅନ୍ୟପଟେ ବାବର ଆଜମ, ଫଖର ଜମାନ, ଇମାମ ଉଲ ହକ, ମହମ୍ମଦ ରିଜୱାନ ଶାଦାବ ଖାଁଙ୍କ ବ୍ୟାଟିଂ ଉପରେ ପାକିସ୍ତାନ ଟିମ ନିର୍ଭର କରିବ। ସେହିପରି ହାରିଶ ରୌଫ, ହସନ ଅଲ୍ଲୀ ଓ ଶାହୀନ ଆଫ୍ରିଦୀଙ୍କ ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କିଛି ମାତ୍ରାରେ ଦ୍ଵନ୍ଦ୍ଵରେ ପକାଇପାରେ।  

ତେବେ ପାକିସ୍ତାନ ଦଳରେ ବୋଲିଂ ଅଟାକକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଭାରତ ନିଜର ଓପନିଂକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରୟାସ କରିବ।

ଚଳିତ ବିଶ୍ଵକପରେ ଉଭୟ ଟିମ ୨ଟି ଲେଖାଁଏ ମ୍ୟାଚରେ ବିଜୟ ହାସଲ କରି ଜବରଦସ୍ତ ଫର୍ମରେ ରହିଛନ୍ତି। ତେବେ ଆଜିର ମ୍ୟାଚରେ ଭଲ କ୍ରିକେଟ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Tags: #ICCCricketWorldCup #IndiavsPakistan #Cricket #NarendraModiStadium #Sports

Comment