ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ନିଜର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ୨୧ ତାରିଖରେ ଏହି ମିଶନର ପ୍ରଥମ ପରୀକ୍ଷାମୂଳକ ଉତକ୍ଷେପଣ କରାଯିବ। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

‘ଗଗନଯାନ’ ପରୀକ୍ଷାମୂଳକ ମହାକାଶ ଯାନ ଶନିବାର ସକାଳେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହେବ। ଏହି ପରୀକ୍ଷାମୂଳକ ଉତକ୍ଷେପଣରେ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ନେଇ ଯିବାକୁ ଥିବା କ୍ରିଉ ମଡେଲ ‘ଟିଭି-ଡି୧’କୁ ପରୀକ୍ଷା କରାଯିବ। ଏହାସହ କ୍ରିଉ ଏସକେପ ସିଷ୍ଟମର ମଧ୍ୟ ପରୀକ୍ଷଣ ହେବ।

ଏହି ପରୀକ୍ଷାରେ ମହାକାଶଚାରୀଙ୍କ ଯାନଟି ମହାକାଶରେ ୧୭ କିଲୋମୋଟର ଉଚ୍ଚତାକୁ ଯିବ। ସେଠାରେ କିଛି ସମୟ ରହିବା ପରେ ଏହା ପୁଣି ପୃଥିବୀ ଆଡ଼କୁ ଫେରିବ। ପରେ ଏହା ପ୍ୟାରାସୁଟ ମଧ୍ୟମରେ ଶ୍ରୀହରିକୋଟାର ଉପକୂଳସ୍ଥ ବଙ୍ଗୋପସାଗରରେ ଲ୍ୟାଣ୍ଡ କରିବ।  

ଏହି ପରୀକ୍ଷାମୂଳକ ମିଶନରେ ଯାନଟି ମହାକାଶରେ କେଉଁଭଳି ବିଚରଣ କରିବ ଏବଂ ଏହାର ସୁରକ୍ଷା ପାରାମିଟରକୁ ସମୀକ୍ଷା କରାଯିବ। ଏଥିରୁ ହାସଲ ହୋଇଥିବା ପରିଣାମକୁ ଆଗକୁ ଗଗନଯାନର ଅସଲ ମିଶନ ପାଇଁ କାମରେ ଲାଗିବ।

ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ୪ ଜଣ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଇସ୍ରୋ ପକ୍ଷରୁ ୨୦୨୫ରେ ଗଗନଯାନ ମିଶନକୁ ଲଞ୍ଚ କରାଯିବ। ଏହାପୂର୍ବରୁ ଏହି ମିଶନ ପାଇଁ ୪ଟି ସ୍ଵତନ୍ତ୍ର ପରୀକ୍ଷାମୂଳକ ଉତକ୍ଷେପଣ କରିବା ପାଇଁ ଯୋଜନା କରାଯାଇଛି।    

Tags: #GaganyaanMission #MannedSpaceFlight #IndianAstronauts #ISRO #India

Comment