ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରଘୁବର ଦାସ ଓଡ଼ିଶାର ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ଦାୟିତ୍ଵ ଗ୍ରହଣ କରିବେ। ୨୦୨୩ ମେ’ ମାସରେ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ଏବେ ଓଡ଼ିଶାର କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ଦାୟିତ୍ଵ ତୁଲାଉଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ସହ ତ୍ରିପୁରା ପାଇଁ ମଧ୍ୟ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ତେଲେଙ୍ଗାନାର ବରିଷ୍ଠ ବିଜେପି ନେତା ଇନ୍ଦ୍ରସେନା ରେଡ୍ଡି ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ନିଯୁକ୍ତ କରାଯାଇଛି।

ରଘୁବର ଦାସଙ୍କ ଜନ୍ମ ୩ ମେ’ ୧୯୫୫ ମସିହାରେ ଛତିଶଗଡ଼ରେ ହୋଇଥିଲା। ୧୯୭୭ରେ ସେ ଜନତା ପାର୍ଟିର ସଦସ୍ୟ ହୋଇଥିଲେ। ଏହାପରେ ୧୯୮୦ମସିହାରେ ସକ୍ରିୟ ରାଜନୀତିକୁ ଆସି ବିଜେପିରେ ସାମିଲ ହୋଇଥିଲେ।

ସେ ୧୯୯୫ରେ ପ୍ରଥମଥର ପାଇଁ ଝାଡ଼ଖଣ୍ଡର ଜାମସେଦପୁର ପୂର୍ବ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ଲଗାତାର ୫ ଥର ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ।

ଏହାପରେ ୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିବାବେଳେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଏହାପୂର୍ବରୁ ସେ ଝାଡ଼ଖଣ୍ଡ ବିଜେପିର ଦୁଇ ଥର ରାଜ୍ୟ ସଭାପତି ନିଯୁକ୍ତ ହୋଇଥିଲେ।

Tags: #RaghubarDas #NewGovernor #Odisha #PresidentofIndia

Comment