ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ନିଜର ମାନବ ମହାକାଶ ମିଶନ ‘ଗଗନଯାନ’ର ପ୍ରଥମ ଟେଷ୍ଟ ଫ୍ଲାଇଟ ‘ଟିଭି-ଡି୧’କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଟେଷ୍ଟ ଫ୍ଲାଇଟରେ ଗଗନଯାନ ମିଶନର ‘କ୍ରିଉ ମଡେଲ’କୁ ମହାକାଶକୁ ଛଡ଼ା ଯାଇଥିଲା। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ସକାଳ ୧୦ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ଟେଷ୍ଟ ଫ୍ଲାଇଟ ‘ଟିଭି-ଡି୧’କୁ ଉତକ୍ଷେପଣ କରାଯାଇଥିଲା। ଏହା ମହାକାଶର ପ୍ରାୟ ୧୨ କିଲୋମିଟର ଉଚ୍ଚତାକୁ ଯାଇଥିଲା।

ଟେଷ୍ଟ ଫ୍ଲାଇଟଟି ଆବଶ୍ୟକୀୟ ଉଚ୍ଚତାରେ ପହଞ୍ଚିବାପରେ ଏଥିରେ ଥିବା କ୍ରିଉ ମଡେଲକୁ ରକେଟରୁ ଅଲଗା କରାଯାଇ ପାରାସୁଟ ମାଧ୍ୟମରେ ପୃଥିବୀ ଆଡ଼କୁ ଛଡ଼ା ଯାଇଥିଲା। ଏହା ଶୂନ୍ୟରେ ଖସି ଖସି ବଙ୍ଗୋପସାଗର ଆଡ଼କୁ ଆସିଥିଲା। ଶ୍ରୀହରିକୋଟା ଉପକୂଳରୁ ପ୍ରାୟ ୧୦ କିଲୋମିଟର ଦୂର ବଙ୍ଗୋପସାଗର ମଧ୍ୟରେ ଏହା ଅବତରଣ କରିଥିଲା।

ଏହି କ୍ରିଉ ମଡେଲକୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନାର ଏକ ଟିମ୍‌ ଅଭିଯାନ ଆରମ୍ଭ କରିଛନ୍ତି। ଏହି ପରୀକ୍ଷାମୂଳକ ମିଶନରେ ଯାନଟି ମହାକାଶରେ କେଉଁଭଳି ବିଚରଣ କରିବ ଏବଂ ଏହାର ସୁରକ୍ଷା ପାରାମିଟରକୁ ସମୀକ୍ଷା କରାଯିବ। ଏଥିରୁ ହାସଲ ହୋଇଥିବା ପରିଣାମକୁ ଆଗକୁ ଗଗନଯାନର ମୁଖ୍ୟ ମିଶନରେ କାମରେ ଲାଗିବ।

ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ୪ ଜଣ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଇସ୍ରୋ ପକ୍ଷରୁ ୨୦୨୫ରେ ଗଗନଯାନ ମିଶନକୁ ଲଞ୍ଚ କରାଯିବ। ଏହାପୂର୍ବରୁ ଏହି ମିଶନ ପାଇଁ ୪ଟି ସ୍ଵତନ୍ତ୍ର ପରୀକ୍ଷାମୂଳକ ଉତକ୍ଷେପଣ କରିବା ପାଇଁ ଯୋଜନା କରାଯାଇଛି।    

Tags: #GaganyaanMission #MannedSpaceFlight #IndianAstronauts #ISRO #India

LEAVE A REPLY

Please enter your comment!
Please enter your name here