ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ଧରା ପୃଷ୍ଠାରୁ ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ମା’ଙ୍କୁ ମେଲାଣି ଦେବାକୁ ଆୟୋଜନ ହେବ ଭସାଣି ଉତ୍ସବ। ଏହି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ କରିବା ପାଇଁ ରାଜଧାନୀ ଭୁବନେଶ୍ଵରରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଚଳିତ ବର୍ଷ ରାଜଧାନୀ ଭୁବନେଶ୍ଵରରେ ବେଶ୍ ଜାକଜମକରେ ଦୁର୍ଗାପୂଜା ପାଳନ କରାଯାଇଥିବାବେଳେ ଧୁମଧାମର ସହ ଭସାଣି କରିବାକୁ ପ୍ରସ୍ତୁତ ବିଭିନ୍ନ ପୂଜା କମିଟି। ଭସାଣି ନିମନ୍ତେ କୁଆଖାଇ ଏବଂ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି।

ଏହି ସମୟରେ ଶାନ୍ତିଶୃଙ୍ଖଳା, ଟ୍ରାଫିକ୍ ପରିଚାଳନା ଏବଂ ଲୋକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ। ୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ, ୧୨ ଜଣ ଅତିରିକ୍ତ ଡିସିପି, ୨୮ ଜଣ ଏସିପି ଏବଂ ୪୨ ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ଵରେ ରହିବେ। ଏହା ସହ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ନିୟୋଜିତ ହେବେ। ଏ ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

ସହିଦନଗର ଭସାଣି କମିଟିକୁ ଆସୁଥିବା ମେଢ଼ଗୁଡ଼ିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଆସିବ। ନୟାପଲ୍ଲୀ ଭସାଣି କମିଟି ମେଢ଼ଗୁଡ଼ିକ ସିଆରପି ଛକ ଦେଇ ୟୁନିଟ-୮ ଦେଇ ୬ ନମ୍ବର ପର୍ଯ୍ୟନ୍ତ ଆସିବେ। ଚନ୍ଦ୍ରଶେଖରପୁର ଭସାଣି କମିଟି ମେଢ଼ଗୁଡ଼ିକ କଳିଙ୍ଗ ହସ୍ପିଟାଲ ଛକ ଦେଇ ନଦୀପଠାକୁ ଯିବେ। ଏହି ସମୟରେ ଟ୍ରାଫିକ ପରିଚାଳନା ଉପରେ କମିଶନରେଟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି। ଶୋଭାଯାତ୍ରା ସମୟରେ ଡିଜେ ବାଜିବ ନାହିଁ। ଭସାଣିସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ରହିବେ।

Tags: #durgapuja #Bhasani #bhubaneswar #odisha #security

LEAVE A REPLY

Please enter your comment!
Please enter your name here