ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି ମତଦାନ। ମଙ୍ଗଳବାର ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତଦାନ ହେଉଥିବାବେଳେ ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ ଭୋଟ ଗ୍ରହଣ ଜାରି ରହିଛି। ନିର୍ବାଚନ ପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଛତିଶଗଡ଼ରେ ନିର୍ବାଚନ ହେଉଥିବା ୨୦ଟି ସିଟରୁ ମାଓବାଦୀ ପ୍ରବଣ ବସ୍ତର ଡିଭିଜନରେ ୭ଟି ଜିଲ୍ଲାର ୧୨ଟି ଆସନ ରହିଛି। ସେହିପରି ଅନ୍ୟ ୪ଟି ଜିଲ୍ଲାର ୮ଟି ଆସନରେ ଭୋଟିଂ ଆରମ୍ଭ ହୋଇଛି। ଏଠାରେ ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ଛତିଶଗଡ଼ରେ ମଙ୍ଗଳବାର ପ୍ରାୟ ୪୧ ଲକ୍ଷ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଦିନ ୧୧ଟା ସୁଦ୍ଧା ଏଠାରେ ୨୨.୯୭ ପ୍ରତିଶତ ମତଦାନ ହୋଇଛି। ଏଠାରେ ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି।  

ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ମୋଟ ୫,୩୦୪ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ୨,୯୦୦ଟି ବୁଥ ମାଓବାଦୀ ପ୍ରବଣ ଅଞ୍ଚଳରେ ରହିଛି। ସବୁ ବୁଥରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟା ଯାଏଁ ଏଠାରେ ଭୋଟ ଗ୍ରହଣ ଚାଲିବ। କେବଳ ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବା ବୁଥଗୁଡ଼ିକରେ ଅପରାହ୍ଣ ୩ଟା ଯାଏଁ ମତଦାନ ହେବ।

ନିର୍ବାଚନରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିଲାଗି ଛତିଶଗଡ଼ ପୋଲିସର ୨୦ ହଜାର କର୍ମଚାରୀ ଏବଂ ସିଏପିଏଫର ୪୦ ହଜାର ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ମାଓବାଦୀ ପ୍ରବଣ ଅଞ୍ଚଳରେ ବୁଥର ସୁରକ୍ଷା ପାଇଁ ସିଆରପିଏଫର କୋବ୍ରା କମାଣ୍ଡୋମାନେ ନିୟୋଜିତ ହୋଇଛନ୍ତି।

ଅନ୍ୟପଟେ ମିଜୋରାମରେ ହେଉଥିବା ବିଧାନସଭା ନିର୍ବାଚନର ୪୦ଟି ଆସନ ପାଇଁ ମୋଟ ୧୭୪ ଜଣ ପ୍ରାର୍ଥୀ ରହିଛନ୍ତି। ଏଠାରେ ପ୍ରାୟ ୮ ଲକ୍ଷ ୫୨ ହଜାର ଭୋଟର ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଭୋଟ ଗ୍ରହଣ ପାଇଁ ରାଜ୍ୟରେ ୧୨୭୬ ମତଦାନ କେନ୍ଦ୍ର କରାଯାଇଛି।

ମଙ୍ଗଳବାର ଦିନ ୧୧ଟା ସୁଦ୍ଧା ମିଜୋରାମରେ ୩୨.୬୮ ପ୍ରତିଶତ ମତଦାନ ହୋଇଛି। ଏଠାରେ ମିଜୋ ନାସନାଲ ଫ୍ରଣ୍ଟ (ଏମଏନଏଫ), ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକବିଲା ଦେଖିବାକୁ ମିଳୁଛି।

ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା, ଛତିଶଗଡ଼ ଓ ମିଜୋରାମ ସମସ୍ତ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ଗୋଟିଏ ଦିନରେ ପ୍ରକାଶ ପାଇବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସବୁ ରାଜ୍ୟ ବିଧାନସଭା ନିର୍ବାଚନକୁ ସବୁ ରାଜନୈତିକ ଦଳ ବେଶ୍ ଗୁରୁତ୍ଵ ଦେଉଛନ୍ତି।     

Tags: #AssemblyElections #Chhattisgarh #Mizoram #Voters #Politics #ECI #India   

Comment