ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଶା ଆବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ନଭେମ୍ବର ୨୦ ଓ ୨୧ ତାରିଖ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଧିବଦ୍ଧ ଘୋଷଣା ହେବା ପରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଵତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଅପରାହ୍ଣ ୨ଟାରେ ସ୍ଵତନ୍ତ୍ର ହେଲିକପ୍ଟରରେ ବାରିପଦାରେ ପହଞ୍ଚିବେ। ନଭେମ୍ବର ୨୦ ତାରିଖ ଅପରାହ୍ଣ ୪ଟା ୨୦ ମିନିଟରେ ବାରିପଦାସ୍ଥିତ ସହିଦ ସ୍ମୃତି ଭବନରେ ସର୍ବଭାରତୀୟ ସାନ୍ତାଳି ଲେଖକ ସମ୍ମିଳନୀ ଏବଂ ସାହିତ୍ୟ ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ରାଇରଙ୍ଗପୁରଠାରେ ରାଷ୍ଟ୍ରପତିଙ୍କର ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୧ ତାରିଖରେ ସେ ପାହାଡ଼ପୁର ଗସ୍ତ କରି ସେଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବା ସହିତ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ବାଦାମପାହାଡ଼ ଗସ୍ତ କରିବେ। ବାଦାମପାହାଡ଼ ରେଳ ଷ୍ଟେସନରେ ଟାଟାନଗର-ବାଦାମପାହାଡ଼ ମେମୁ ଟ୍ରେନ, ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ ଓ ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ରାଷ୍ଟ୍ରତି ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ହେବାକୁ ଥିବାର ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ରହିଛି।
Tags: #PresidentofIndiaDroupadiMurmu #OdishaVisit #TwodaysVisit #Baripada #Mayurbhanj #Odisha