ଓଡ଼ିଶାଲାଇଭ୍ ବ୍ୟୁରୋ

ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ଦେଇନପାରିବାରୁ ଅଦାଲତଙ୍କ ନିର୍ଦ୍ଦେଶରେ ନିଲାମ ହେବାକୁ ଯାଉଥିଲା ନିର୍ମାଣ ସୌଦ୍ଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବ ପତ୍ର। କିନ୍ତୁ ସରକାର ଟଙ୍କା ଦେବାରୁ ଆସବାବପତ୍ର ନିଲାମ ଅଟକିଛି।

କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକ ୧୯୯୮ ମସିହାରେ ନ’ତାଲା ବିଲଡିଂ ନିର୍ମାଣ କରିଥିଲେ। ନିର୍ମାଣ ବାବଦକୁ ଠିକାଦାର ୧୮ ଲକ୍ଷ ଟଙ୍କା ପାଇବାର ଥିଲା, ଯାହା ତାଙ୍କୁ ଦିଆଯାଇନଥିଲା। ଟଙ୍କା ନମିଳିବାରୁ ଦିନେଶ ପାଠକ ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲେ।

ଏହି ମାମଲାର ଶୁଣାଣି କରି ଭୁବନେଶ୍ଵର ସିନିୟର ଡିଭିଜନ ସବଜଜ୍ ନିର୍ଦ୍ଧାରିତ ସମୟରେ ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସମୟରେ ଠଙ୍କା ପଇଠ କରିବାକୁ ସମୟ ନେଇଥିଲେ ମୁଖ୍ୟ ଯନ୍ତ୍ରୀ। ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ନଦେବାରୁ ନିର୍ମାଣ ସୌଦ୍ଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ଶୁକ୍ରବାର ଦିନ କୋର୍ଟ କର୍ମଚାରୀ ମୁଖ୍ୟଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚେୟାର, ଟେବୁଲ, କମ୍ପ୍ୟୁଟର, ପ୍ରିଣ୍ଟର, ଫ୍ୟାନ ଏବଂ ଆଲମିରା ଆଦି କାଢ଼ି ନେଇଯାଇଥିଲେ। ସରକାର ଟଙ୍କା ଦେଇଥିବାରୁ ଆଉ ଏଗୁଡ଼ିକର ନିଲାମ ହେବନାହିଁ।

Tags: #NirmanSoudh #Property #Auction #CourtAction #Odisha #Bhubaneswar

Comment