ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ଵ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ଶୁକ୍ରବାର ଦିନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ଗତ ଫେବ୍ରୁଆରି ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ବ୍ୟକ୍ତିଗତ କାରଣ ଦର୍ଶାଇ ସୁରେଶ ମହାପାତ୍ର ଓଇଆରସିର ଅଧ୍ୟକ୍ଷ ପଦବୀ ଛାଡ଼ିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର।

ସେହିପରି ଅବସରପ୍ରାପ୍ତ ଆଇଏଏସ୍ ଆର ବାଲକ୍ରିଷ୍ଣନ ପୂର୍ବଭଳି ମୁଖ୍ୟ ସଚିବ ପାହ୍ୟାରେ ମୁଖ୍ୟ ପରାମର୍ଶଦାତା (ସେସାଲ ଇନିସିଏଟିଭ) ଭାବେ ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ପଦବୀରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି।

ଏହା ସହ ଅବସରପ୍ରାପ୍ତ ଆଇଏଏସ ଅସିତ ତ୍ରିପାଠୀଙ୍କୁ ପ୍ରମୁଖ ପରାମର୍ଶଦାତା ଭାବେ ସମସ୍ତ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ସେ କେବଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।

Tags: #Politics #OdishaPolitics #Odisha #SureshChandraMahapatra #NewAppointment #CMOChiefAdvisor

LEAVE A REPLY

Please enter your comment!
Please enter your name here