ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ପିଲାଦିନେ ଘର ନିକଟରେ କୌଣସି ବିଦ୍ୟାଳୟ ନଥିବାରୁ ପଠପଢ଼ିବା ପାଇଁ ତାଙ୍କୁ ଦୂରକୁ ଯିବାକୁ ପଡ଼ିଥିଲା। ପାଖରେ ବିଦ୍ୟାଳୟ ନଥିବାରୁ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହେଉଥିଲେ। ଏବେ ଆଉ ସେ ସମସ୍ୟା ଦେଖିବାକୁ ମିଳୁନାହିଁ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇବେ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ।

“ଶିକ୍ଷା ହେଉଛି ଆର୍ଥିକ ଏବଂ ସାମାଜିକ କଲ୍ୟାଣର ଚାବିକାଠି। ଜଣେ ଶିକ୍ଷିତ ବ୍ୟକ୍ତି ନିଜ ବିକାଶ ସହିତ ଦେଶ ଓ ସମାଜର ପ୍ରଗତିରେ ଯୋଗଦାନ ଦେଇପାରିବେ। ତେଣୁ ଶିକ୍ଷାକୁ ଜୀବନରେ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି”, କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧାସୁଯୋଗ ଯୋଗାଇଦେବା ଲାଗି ସରକାର ବୁହୁମୁଖୀ ଯୋଜନା କରିଛିନ୍ତି। ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ସମଗ୍ର ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ଏହି ବିଦ୍ୟାଳୟଗୁଡ଼ିକରେ ସମଗ୍ର ଭାରତରେ ୩.୫ ଲକ୍ଷରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହିତ ସମାଜ ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ କରିବାକୁ ସକ୍ଷମ ହେବେ ବୋଲି ରାଷ୍ଟ୍ରପତି କହିଥିଲେ।

Tags: #PresidentofIndia #DroupadiMurmu #DroupadiMurmuInauguratesEklavyaModelResidentialSchool #Kuliana #Mayurbhanj #Odisha

Comment