ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ପ୍ରାୟ ୫୦ ଜଣ କବି ଭାଗନେଇ ନିଜ ନିଜ ଭାଷାରେ କବିତା ପାଠ କରିଥିଲେ।

ଏସସିଏସଟିଆରଟିଆଇ ପରିସରରେ ଗୁରୁବାର ଦିନ ହୋଇଥିବା ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜନଜାତୀୟ ସାହିତ୍ୟର ସଂରକ୍ଷଣ ଦିଗରେ ଏଭଳି କବି ସମ୍ମିଳନୀ ଏକ ପ୍ରମୁଖ ଭୂମକା ଗ୍ରହଣ କରିବ ବୋଲି ସେ କହିଥିଲେ।

ଏହି ସମ୍ମିଳନୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜନଜାତୀୟ କଳା, ସଂସ୍କୃତି ଏବଂ ସାହିତ୍ୟର ପ୍ରସାର କ୍ଷେତ୍ରରେ ଏଭଳି କବି ସମ୍ମିଳନୀ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ।

ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ ଦେଇଥିବା ଆଦିବାସୀ ସଂଗ୍ରାମୀମାନଙ୍କ ବିଷୟରେ ବର୍ତ୍ତମାନର ଯୁବପିଢ଼ି ଜାଣିବା ଦରକାର। ତେଣୁ ସ୍କୁଲ ସ୍ତରରେ ଏହି ବିଷୟ ଉପଲବ୍ଧ କରାଇବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯିବା ଆବଶ୍ୟକ। ସେହିପରି ଜନଜାତିଙ୍କ ଭାଷା, ସଂସ୍କୃତି, ପୋଷାକ ଏବଂ ଅଳଙ୍କାରର ଏକ ବିଶେଷ ଆକର୍ଷଣ ରହିଥିବାରୁ ଏହାର ସଂରକ୍ଷିତ ଓ ବ୍ୟାପକ ପ୍ରସାର କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜନଜାତି କବି ସମ୍ମିଳନୀ ଭଳି ସର୍ଜନାତ୍ମକ କାର୍ଯ୍ୟକ୍ରମରେ ଭାଗନେବାକୁ ଯୁବପିଢ଼ିଙ୍କୁ ମନ୍ତ୍ରୀ ଅନୁରୋଧ କରିଥିଲେ।

ଜନଜାତି କବି ସମ୍ମିଳନୀରେ ବିନଝାଲ, ଦେଶିଆ, ଗଦବା, କୋୟା, କୁଇ, ଖଡ଼ିଆ, କୁଭି, ପରଜା, ସଉରା, ଲାଞ୍ଜିଆ ସଉରା, ଗଣ୍ଡ, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ, ମୁଣ୍ଡାରୀ, ଓରାନ୍, କିସାନ୍ ଏବଂ ହୋ ଆଦି ସଂପ୍ରଦାୟର କବି ଭାଗ ନେଇଥିଲେ। ଏହି ଅବସରରେ ଜନଜାତି କବିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉଦଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ସାହିତ୍ୟିକ ପ୍ରଫେସର ପ୍ରମୋଦ କୁମାର ପରିଡ଼ା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଅର୍ଥନୈତିକ ଉପଦେଷ୍ଟା ବିଜୟ ବସନ୍ତ ଖାଲକୋ ଏବଂ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଏସସିଏସଟିଆରଟିଆଇର ଓଏସଡି ସମରେନ୍ଦ୍ର ଭୁତିଆ ପରିଚାଳନା କରିଥିଲେ।

Tags: #JanJatiyaGauravDivasSamaroh #StateLevelTribalPoetsMeet #TribalPaintingExhibition #Bhubaneswar #SCSTRTIDirectorate #Odisha

Comment