ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଦିନ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରସ୍ଥିତ ଶଙ୍ଖ ଭବନଠାରେ ଅନୁଷ୍ଠିତ ବୈଠକରେ ମୋଟ ୨୭ଟି ପ୍ରସ୍ତାବ ଗୃହୀତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ବିରୋଧୀଙ୍କ ପାଖରେ କୌଣସି ପ୍ରସଂଗ ନଥିବାରୁ ସେମାନେ ଅପପ୍ରଚାର କରୁଛନ୍ତି। ଓଡ଼ିଶାର ରୂପାନ୍ତରଣ ବିରୋଧୀଙ୍କୁ ବଡ଼ ଝଟକା ଦେଇଛି। ବିରୋଧୀଙ୍କ ଅପପ୍ରଚାରର ମୁକାବିଲା କରିବାକୁ ହେବ। ଘରେ ଘରେ ଓଡ଼ିଶା ବିକାଶର ବାର୍ତ୍ତା ପହଞ୍ଚାଇବାକୁ ପଡ଼ିବ। ରାଜ୍ୟବାସୀ ଜାଣନ୍ତି ହଜାରେ ମିଛ କେବେ ସତ ହେବ ନାହିଁ। ସତ୍ୟର ଜୟ ହେବ, ବିକାଶର ଧାରା ଆଗକୁ ବଢ଼ିବ, ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ହେବ।”

ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଆସନ୍ତା ୨୦୨୪ ମସିହା ଜାନୁଆରି ୨୩ ତାରିଖ ନେତାଜୀ ଜୟନ୍ତୀଠାରୁ ବିଜୁବାବୁଙ୍କ ଜୟନ୍ତୀ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସଫଳତା ତଥା ବିକାଶର ବାର୍ତ୍ତା ତୃଣମୂଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ। ଏ ନେଇ ବୈଠକରେ ନିଷ୍ପତ୍ତି ହୋଇଛି।

୨୦୦୦ ମସିହାରୁ ବିଭିନ୍ନ ନିର୍ବାଚନରେ ବିଜେଡିର ଲଗାତର ବିଜୟ ପାଇଁ ଓଡ଼ିଶାବାସୀଙ୍କୁ ଦଳ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଥିଲା। ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ଏବଂ ରାଜ୍ୟର ବିଭିନ୍ନ ମନ୍ଦିରର ନବକଳେବର ଓ ସଂରକ୍ଷଣ ପାଇଁ ପେଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଶିକ୍ଷା କ୍ଷେତ୍ରରେ ଉନ୍ନତି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ରୂପାନ୍ତରଣ, ଅର୍ଥନୈତିକ ଅଭିବୃଦ୍ଧି, ରାଜ୍ୟରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ, ଦ୍ରୁତ ଶିଳ୍ପାୟନ, ନିଯୁକ୍ତି ସୁଯୋଗ, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଆଇଟି କ୍ଷେତ୍ରରେ ଦ୍ରୁତ ବିକାଶ, ଚାଷୀ ଏବଂ ଚାଷ ପାଇଁ ସୁବ୍ୟବସ୍ଥା, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ବର୍ଗଙ୍କ ପାଇଁ ପଦକ୍ଷେପ ତଥା ପୁଞ୍ଜି ନିବେଶରେ ଓଡ଼ିଶା ଲଗାତର ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା।

୫-ଟି ଉପକ୍ରମରେ ଓଡ଼ିଶାକୁ ପୂର୍ଣ୍ଣ ବିକଶିତ ରାଜ୍ୟରେରେ ପରିଣତ କରିବା ପାଇଁ ହେଉଥିବା ପ୍ରୟାସକୁ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ୱାଗତ କରାଯାଇଥିଲା।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେସାଲ ଫୋକସ ଷ୍ଟେଟ ମାନ୍ୟତା ପାଇଁ ଦଳ ଦାବି ଉଠାଇବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଦାବି ପୂରଣ ହେବା ପର୍ଯ୍ୟନ୍ତ  ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଛି।

କୋଇଲା ରୟାଲଟି, ସେସ୍, ପ୍ରଦାନ ଆଦିକୁ ନେଇ କେନ୍ଦ୍ର ଆଗରେ ଦାବି ରଖିବ ଓଡ଼ିଶା। ଏହା ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ, କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା, ଖାଉଟି ଦର ବୃଦ୍ଧି ଆଦି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ବିଜେଡିର ସାଙ୍ଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ସର୍ବସମ୍ମିତି କ୍ରମେ ନିଷ୍ପତ୍ତି ହୋଇଛି। ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀୱାରୀ ପ୍ରଶିକ୍ଷଣ ଓ ତା’ପରେ ଜୋନାଲ ପ୍ରଶିକ୍ଷଣ ପରବର୍ତ୍ତୀ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି।

ଏହି କାର୍ଯ୍ୟକାରିଣୀରେ ମୋଟ ୨୭ଟି ପ୍ରସ୍ତାବ ଆଗତ ହୋଇଥିଲା। ଏଥିମଧ୍ୟରେ ୧୧ଟି ରାଜନୈତିକ ପ୍ରସ୍ତାବ ଏବଂ ୧୬ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଛି।

Tags: #Politics #OdishaPolitics #Odisha #BJD #CMOdisha #NaveenPatnaik #StateExecutiveMeeting

Comment