ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଏକ ମାସ ଧରି ଚାଲିଥିବା ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହେବାପରେ ଅଭୟାରଣ୍ୟକୁ ପୁଣି ଖୋଲାଯାଇଛି। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ରାସ୍ତାରୁ ହଟିଛନ୍ତି ଆନ୍ଦୋଳନକାରୀ। ଏହାପରେ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ ପର୍ଯ୍ୟଟକଙ୍କୁ ଅଭୟାରଣ୍ୟକୁ ଯିବାପାଇଁ ଅନୁମତି ମିଳିଛି।

ମଙ୍ଗଳବାର ଶିମିଳିପାଳରେ ଜାରି ରହିଥିବା ଆନ୍ଦୋଳନର ସମାଧାନ ପାଇଁ ବରେହିପାଣିଠାରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ଆନ୍ଦୋଳନର ନେତୃତ୍ଵ ନେଉଥିବା ଶିମିଳିପାଳ ବିକାଶ ପରିଷଦର ସଦସ୍ୟଙ୍କ ସହ ଯଶୀପୁର ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆ, ଅଭୟାରଣ୍ୟ କର୍ତ୍ତୃପକ୍ଷ ତଥା ମୟୂରଭଞ୍ଜର ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ।

ସଭାରେ ଆନ୍ଦୋଳନକାରୀଙ୍କ ଦାବି ପୂରଣ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୁଧବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଆସିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ପରିଷଦ ପକ୍ଷରୁ ଘୋଷଣା କରାଯାଇଥିଲା।

ଏକ ମାସ ଧରି ଶିମିଳିପାଳର ୩ଟି ପ୍ରମୁଖ ପଞ୍ଚାୟତ ଗୁରୁଗୁଡ଼ିଆ, ବରେହିପାଣି ଓ ଅସ୍ତକୁମାରର ବାସିନ୍ଦା ୫ ଦଫା ଦାବି ନେଇ ରାସ୍ତାରୋକ ଆନ୍ଦୋଳନ ଆରମ୍ଭ କରିଥିଲେ। ଶିମିଳିପାଳ ବିକାଶ ପରିଷଦ ନେତୃତ୍ୱରେ ଆନ୍ଦୋଳନକାରୀମାନେ ଶିମିଳିପାଳର ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଥିଲେ। ଫଳରେ ପର୍ଯ୍ୟଟନ ଋତୁରେ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଥିଲା।  

ମୟୂରଭଞ୍ଜ ଜିଲ୍ଲାରେ କାଳିକା ପ୍ରସାଦଠାରୁ ଗଡ଼ ଶିମିଳିପାଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ମରାମତି ଓ ଡ୍ରେନ୍ ନିର୍ମାଣ ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ଥିଲା। ଏହାସହ ଶିମିଳିପାଳର ସବୁ ପଞ୍ଚାୟତରେ ଟେଲିଫୋନ୍ ଟାୱାର ପ୍ରତିଷ୍ଠା, ସ୍ଥାନୀୟ ଅଞ୍ଚଳରେ ଥିବା କାଠ ପୋଲ ବଦଳାଯାଇ କଂକ୍ରିଟ ପୋଲ ନିର୍ମାଣ, ପଞ୍ଚାୟତରେ ରାସ୍ତା ସୁଦୃଢ଼ୀକରଣ ଏବଂ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ସେମାନଙ୍କର ଦାବି ରହିଥିଲା।

ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା। ଗ୍ରାମବାସୀମାନେ ନିଜ ଜିଦରେ ଅଟଳ ରହିଥିଲେ। ଏବେ ଆନ୍ଦୋଳନ ବନ୍ଦ ହେବାପରେ ପୁଣି ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିବ ବୋଲି ଆଶା କରାଯାଉଛି।          

Tags: #SimilipalNationalPark #Protest #Tourists #Mayurbhanj #Odisha     

Comment