ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)-ନବୀନ କାର୍ଡର ଶୁଭାରମ୍ଭ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇର ତୃତୀୟ ପର୍ଯ୍ୟାୟରେ ଏହି କାର୍ଡର ଶୁଭାରମ୍ଭ କରିଛନ୍ତି। ଏଥିରେ ପ୍ରାୟ ୧ କୋଟି ୧୦ ଲକ୍ଷ ପରିବାର ତଥା ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏ ଯାଏଁ ଯୋଡ଼ି ହୋଇ ନଥିବା ଲୋକେ ଏହି ବିଏସକେୱାଇ-ନବୀନ କାର୍ଡରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ। ଏଥିରେ ବିଶେଷକରି ଗ୍ରାମଞ୍ଚଳର ଲୋକଙ୍କୁ ସାମିଲ କରିବାକୁ ଯୋଜନା ରଖାଯାଇଛି। ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି।

“ଓଡ଼ିଶାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ମାସରେ ରାଜ୍ୟର ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ଵାସ୍ଥ୍ୟ ଅନୁଷ୍ଠାନରେ ଚିକିତ୍ସା ସୁବିଧା ପାଉଛନ୍ତି। ଏହାସହିତ ପ୍ରାୟ ୧ ଲକ୍ଷ ୩୦ ହଜାର ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସିତ ହେଉଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଗତ ୫ ବର୍ଷରେ ବିଏସକେୱାଇରେ ରାଜ୍ୟ ସରକାର ୪,୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି। ଟଙ୍କା ଅଭାବରୁ କେହି ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନହୁଅନ୍ତୁ ତାହା ଆମର ଲକ୍ଷ୍ୟ।”   

ଓଡ଼ିଶା ସରକାର ୨୦୧୮ ମସିହା ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏଥିରେ ରାଜ୍ୟର ପ୍ରାୟ ୯୬ ଲକ୍ଷ ପରିବାର ଯୋଡ଼ି ହୋଇଛନ୍ତି। ଏଥିରେ ପରିବାରର ପ୍ରତି ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସହାୟତା ମିଳୁଛି।    

Tags: #BijuSwasthyaKalyanYojana #NaveenCard #FreeHealthcare #Odisha

Comment